ଭୁବନେଶ୍ୱର:ଏଣିକି ବିବାହ ବ୍ରତଘର ଭଳି ଅନ୍ୟାନ ସାମାଜିକ କାର୍ଯ୍ୟ ପାଇଁ ଭୁବନେଶ୍ବରବାସୀଙ୍କୁ ଅନ୍ଲାଇନ୍ରେ ଅନୁମତି । ବିଏମ୍ସି ପକ୍ଷରୁ ଏଭଳି ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ବିଏମ୍ସି ପକ୍ଷରୁ permissions.bhubanewar.me ନାମରେ ଏକ ଲିଙ୍କ୍ ସେୟାର କରାଯାଇଛି । ଏଥିପାଇ ଆବେଦନକାରୀଙ୍କୁ ସିଷ୍ଟମରେ ପଞ୍ଜୀକୃତ ହେବାକୁ ହେବ ।
ବର୍ଦ୍ଧିତ ସୁରକ୍ଷା ପାଇଁ OTP ପ୍ରାମାଣିକିକରଣ ସିଷ୍ଟମ ମାଧ୍ୟମରେ ଲଗଇନ୍ କରିବାକୁ ପଡ଼ିବ । ନାମ, ବୟସ, କାର୍ଯ୍ୟର ତାରିଖ, ଅତିଥି ସଂଖ୍ୟା ଇତ୍ୟାଦି ଆବେଦନ ଫର୍ମରେ ସବିଶେଷ ତଥ୍ୟ ପ୍ରଦାନ କରିବା ପରେ ଜଣଙ୍କୁ ଆବେଦନ ଫର୍ମ ଦାଖଲ କରିବାକୁ ପଡ଼ିବ । BMC ଅଧିକାରୀଙ୍କ ଦ୍ୱାରା ଏହି ଆବେଦନ ଫର୍ମକୁ ଯାଞ୍ଚ କରାଯିବ । ଏହାକୁ ଅନୁଧ୍ୟାନ କରିବା ପରେ କୌଣସି ସାମାଜିକ କାର୍ଯ୍ୟକ୍ରମ ପାଇଁ ଅନୁମତି ପ୍ରଦାନ କରାଯିବ।
ସାମାଜିକ କାର୍ଯ୍ୟ ପାଇଁ ଅନୁମତି ଅନୁମୋଦିତ ହେବା ପରେ SMS, ଇ-ମେଲ ମାଧ୍ୟମରେ ଆବେଦନକାରୀଙ୍କୁ ଜଣାଇ ଦିଆଯିବ । ଇ-ମେଲ ଏବଂ SMSରେ ଥିବା ଲିଙ୍କ୍ ମାଧ୍ୟମରେ ଅନୁମତି ପତ୍ର ଡାଉନଲୋଡ୍ ହୋଇପାରିବ ।
ଏହାକୁ ନେଇ ବିଏମସି କମିଶନର ସଞ୍ଜୟ କୁମାର ସିଂ କହିଛନ୍ତି ଯେ “ସ୍ମାର୍ଟ ସିଟିର ଟେକ୍ନୋଲୋଜି ସହାୟତା ମାଧ୍ୟମରେ ବିଏମସି ଦ୍ୱାରା ସାମାଜିକ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନର ଅନଲାଇନ୍ ମଡ୍ୟୁଲ୍ ନାଗରିକମାନଙ୍କୁ ସାହାଯ୍ୟ କରିବ। ଅନଲାଇନରେ ବିଏମସି କଲ୍ୟାଣ ମଣ୍ଡପର ବୁକିଂ କରିବା ପରେ ଏହା ସ୍ମାର୍ଟ ଗଭର୍ନାନ୍ସ ସିଷ୍ଟମ ଅଧୀନରେ ନାଗରିକ-ଅନୁକୂଳ ଆଇଟି ପର୍ଯ୍ୟବସିତ ହସ୍ତକ୍ଷେପ ପାଇଁ ଏକ ନୂଆ ରାସ୍ତା ତିଆରି କରିବ।’’