ଭୁବନେଶ୍ୱର: ସରକାରକା ମାଲ ଦରିଆମେ ଡାଲ । ଉଦ୍ୟାନ କୃଷି ବିଭାଗରେ ଏହି ନ୍ୟାୟରେ ଏବେ ବିଭାଗୀୟ ଅଧିକାରୀମାନେ କୃଷି ଫାର୍ମ ପ୍ରତିଷ୍ଠା ପାଇଁ ନେଇଥିବା ଅର୍ଥର ହିସାବ ଦେଉନାହାଁନ୍ତି । ତିନି ବର୍ଷ ଭିତରେ ଏବାବଦରେ ୧୬ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଥିଲା । ବିଭାଗ ପକ୍ଷରୁ ଥରେ ହିସାବ ମଗାଯାଇଥିଲା । ଏବେ ଆଉ ଥରେ ରିମାଇଣ୍ଡର ଦିଆଯାଇ ସପ୍ତାହକ ମଧ୍ୟରେ ରିପୋର୍ଟ ପଠାଇବାକୁ ତାଗିଦା କରାଯାଇଛି ।
ଆଦର୍ଶ କୃଷି ଫାର୍ମ ପ୍ରତିଷ୍ଠା ପାଇଁ ୧୬ଟି ଜିଲ୍ଲାରେ ଆଦର୍ଶ କୃଷି ଫାର୍ମ ପ୍ରତିଷ୍ଠା ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୧୬ କୋଟି ୪୪ ଲକ୍ଷ ୭୧ ହଜାର ୮୨୪ ଟଙ୍କା ପ୍ରଦାନ କରାଯାଇଥିଲା । ୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ଏହି ଅର୍ଥ ପ୍ରଦାନ କରାଯାଇଥିଲା । ଏହେ ଏହି ଫାର୍ମ ପ୍ରତିଷ୍ଠା ହୋଇଛି କି ନାହିଁ ଏବଂ କେତେ ଟଙ୍କା ଖର୍ଚ୍ଚ ହେଲା ତାର ହିସାବ ଦେଉନାହାଁନ୍ତି କୃଷି ଉପନିର୍ଦ୍ଦେଶକମାନେ । ଢେଙ୍କାନାଳ, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ, ନବରଙ୍ଗପୁର, ନୂଆପଡା ଓ ଗଂଜାମ ଜିଲ୍ଲାକୁ ଏହି ସହାୟତା ଦିଆଯାଇଥିଲା । ଫଳରେ ରାଜ୍ୟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳ ଏହି ୧୬ଟି ଜିଲ୍ଲାର କୃଷି ଉପନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ପୂର୍ବରୁ ଗତ ମେ ମାସ ୨୦ ତାରିଖରେ ଖର୍ଚ୍ଚ ହିସାବ ମଗାଯାଇଥିଲା । କିନ୍ତୁ ହିସାବ ନମିଳିବାରୁ ଏବେ ପୁଣି ଥରେ ଚିଠି ଲେଖି ଫାର୍ମ ପ୍ରତିଷ୍ଠା ନେଇ ଅଗ୍ରଗତି ଓ ଖର୍ଚ୍ଚର ରିପୋର୍ଟ ମଗାଯାଇଛି ।