ଭୁବନେଶ୍ବର: ପାଟକୁରା ପରାଜୟ ପରେ ବିଜେପିର ତୁଙ୍ଗ ନେତା ବିଜୟ ମହାପାତ୍ର ପରାଜୟର ସମୀକ୍ଷା କରୁଛନ୍ତି । କେଉଁଠି ରହିଲା ଭୁଲ ତାର ତର୍ଜମା କରୁଛନ୍ତି ସେ । ବିଜେପିର ଏହି ତୁଙ୍ଗ ନେତା ପରାଜୟକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ସତ ହେଲେ ହତୋତ୍ସାହିତ ହୋଇନାହାଁନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ପାଟକୁରା ନିର୍ବାଚନର ଫଳାଫଳ ତାଙ୍କୁ ଆଶ୍ଚର୍ଯ୍ୟ କରିଥିବା ବିଜୟ ପ୍ରକାଶ କରିଛନ୍ତି । ସେଠାରେ ନିର୍ବାଚନ ପ୍ରଚାର ବେଳେ ଯାହା ଲୋକଙ୍କ ମନୋଭାବ ଥିଲା ଫଳାଫଳ ତାହା ହେଲାନାହିଁ । ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀକୁ ଶାସକ ଦଳ ଘେରାବନ୍ଦୀ କରି ରଖିଥିଲେ ବୋଲି ବିଜୟ କହିଛନ୍ତି । ସରକାରୀ କଳ ବଳ ଲଗାଇ ଜିତିଲେ କେତେଦୂର ଠିକ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ସହ ୨୨ଟି ପଞ୍ଚାୟତର ଫଳାଫଳକୁ ନେଇ ସନ୍ଦେହ ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।
ବିଜୟ ନିଜ ପରାଜୟ ପରେ ଦଳୀୟ ସହଯୋଗ କମିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । କେନ୍ଦ୍ର ପ୍ରଭାରୀ ଓ କେନ୍ଦ୍ର ନେତା ମାନେ ପ୍ରଚାର କରଥିବା ବେଳେ ଦଳ ପ୍ରଚାରରେ ପୂର୍ଣ୍ଣ ସହଯୋଗ କରିଥିବା କହିଛନ୍ତି । ଏହା ସହ ତାଙ୍କର ରାଜନୈତିକ ଜୀବନର ଅବସାନ ନେଇ ହେଉଥିବା ଚର୍ଚ୍ଚା ଉପରେ ବିଜୟ କହିଛନ୍ତି ଯେ, କାହାର ରାଜନୈତିକ ଭବିଷ୍ୟତରେ କେହି ରୋକ ଲଗାଇ ପାରିବେ ନାହିଁ, ମୁଁ କେତେବେଳେ ପଛକୁ ଚାହେଁ ନାହିଁ । ଯେଉଁମାନେ ଏଭଳି କହିଛନ୍ତି ସେମାନଙ୍କ ଅହଂକାର ଓ ଅହମିକାରେ ରହିଛନ୍ତି ବୋଲି ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ପାଟକୁରାରେ ତାଙ୍କୁ ଭୋଟ ଦେଇଥିବା ଭୋଟର ମାନଙ୍କ ପାଇଁ କାମ କରିବେ ଓ ଓଡ଼ିଶାର ସ୍ଵାର୍ଥ ପାଇଁ ଲଢିବେ ବୋଲି ବିଜୟ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ