ଭୁବନେଶ୍ବର: ଦାବି ପୂରଣ ନ ହେଲେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ । ସରକାରୀ ଅନୁଦାନ ଦାବିରେ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ । ବେସରକାରୀ ଅଧ୍ୟାପକଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।
ଅଧିକାର ଯାତ୍ରା ନାମରେ ଧାରଣା ପଞ୍ଚମ ଦିନରେ ପହଞ୍ଚିଛି । ସୋମବାର ଅଧିକାର ଯାତ୍ରାର ମହାସମାବେଶରେ ରାଜ୍ୟର କୋଣ ଅନୁକୋଣରୁ ସାମିଲ ହୋଇଥିଲେ ଅଧ୍ୟାପକ । ଦାବି ମୁତାବକ ୨୦୦୮ ଜୁନ ପହିଲାରୁ ୨୦୧୩ ମସିହା ନଭେମ୍ବର ୩୦ ତାରିଖ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ସରକାର ଏ ପର୍ଯ୍ୟନ୍ତ ଅନୁଦାନ ପରିସର ଭୁକ୍ତ କରିନାହାନ୍ତି । ଏପରିକି କୋରୋନା ମହାମାରୀ ଯୋଗୁଁ ବହୁ ଘରୋଇ ଅଧ୍ୟାପକ ଜୀବିକା ହରାଉଛନ୍ତି ଏବଂ କିଛି ଆତ୍ମହତ୍ୟା ମଧ୍ୟ କରିଛନ୍ତି । ଫଳରେ ଘରୋଇ କଲେଜର ଅଧ୍ୟାପକ ଦୁର୍ଦିନରେ ଦିନ କାଟୁଛନ୍ତି । ତେଣୁ ସେମାନଙ୍କ ଜୀବନ ଓ ଜୀବିକା ସୁରକ୍ଷାକୁ ନେଇ ସରକାର ସେମାନଙ୍କ ଦାବି ପୂରଣ ଦିଗରେ ନିଷ୍ପତ୍ତି ନିଅନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।