ଝାରସୁଗୁଡା: ଓଡିଶାକୁ ଛତିଶଗଡ଼ ଚିନ୍ତା । ଓଡିଶା-ଛତିଶଗଡ଼ ସୀମାବର୍ତ୍ତୀ 7ଟି ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ଖାସ୍ କରି ସୁନ୍ଦରଗଡ,କଳାହାଣ୍ଡି,ବରଗଡ଼, ଝାରସୁଗୁଡା, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି, ଯାହାକୁ ନେଇ କଡ଼ା କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧ ତାରିଖ ଓଡ଼ିଶାରେ ୪୬୧ କୋଭିଡ-୧୯ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଛତିଶଗଡ଼ ସୀମା ସଂଲଗ୍ନ 7 ଟି ଜିଲ୍ଲାରେ ୨୪୨ ଜଣ କୋଭିଡ-୧୯ ସଂକ୍ରମଣ ଚିହ୍ନଟ ହେବା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି ।
ବଢୁଛି ସଂକ୍ରମଣ, ବନ୍ଦ ହେଲା ଝାରସୁଗୁଡାର ସାପ୍ତାହିକ ହାଟ ପଡୋଶୀ ଛତିଶଗଡରେ ଦିନକୁ ପାଖାପାଖି ୪ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଛତିଶଗଡ ସୀମାନ୍ତରେ ଝାରସୁଗୁଡା ଜିଲ୍ଲା ପ୍ରଶାସନର ହାଲୁକା ମନୋଭାବ ସେଠାକାର ଲୋକଙ୍କୁ ଚିନ୍ତାରେ ପକାଇଲାଣି । ଛତିଶଗଡ ସୀମାନ୍ତରେ କିପରି ଲୋକେ ବେପରୁଆ ଆଉ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର କନକତୋରାକୁ ଲାଗି ରହିଛି ଛତିଶଗଡ ସୀମା । ଛତିଶଗଡ ସହ ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କ ସାମାଜିକ ଓ ପାରିବାରିକ ସମ୍ପର୍କ ରହିଛି । ଉଭୟପଟରୁ ଲୋକେ ଖୁଲମଖୁଲା ଭାବେ ଯାତାୟତ କରୁଛନ୍ତି ।
ପଡୋଶୀ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର ସୀମାବର୍ତ୍ତି ଜିଲ୍ଲା ଗୁଡିକ ସତର୍କ ରହିବାକୁ ପରାମର୍ଶ ଦେବା ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମାବର୍ତ୍ତି ୧୬ଟି ଗାଁ ଲୋକଙ୍କୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ କରାଯାଇ ପଡୋଶୀ ରାଜ୍ୟର ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ପରାମର୍ଶ ଦିଆଅଯାଇଛି । ଛତିଶଗଡ ସୀମାରେ ମାସ୍କ ଚେକିଂକୁ କଡାକଡି କରାଯାଇ ଥିବା ବେଳେ ଓଡିଶା ସୀମାରେ ସେଭଳି କିଛି ଦେଖିବାକୁ ମିଳିନାହିଁ । ଝାରସୁଗୁଡା ସୀମାନ୍ତ ଅଞ୍ଚଳ ଦେଇ ଛତିଶଗଡକୁ ବସ ସହ ଅନ୍ୟାନ୍ୟ ଯାନବାହାନ ଚଳାଚଳ କରୁଛି । ଟ୍ରେନ ଚଳାଚଳ ବନ୍ଦ ଥିବାରୁ ବସ ଓ ଅନ୍ୟ ଛୋଟ ଗାଡିରେ ପ୍ରବଳ ଭିଡ ହେଉଥିବା ଲକ୍ଷ୍ୟ କରାଯାଉଛି । କାହାରି ପାଖରେ ଯେପରି ସାମାନ୍ୟତମ ଭୟ ନାହିଁ ସେହିଭଳି ଭିଡରେ ଯାତାୟତ କରୁଛନ୍ତି ।
ତେବେ ଆଜି ଠାରୁ ଜିଲ୍ଲାର ସମସ୍ତ ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ହେଉଥିବା ସାପ୍ତାହିକ ହାଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରହିବ ସାପ୍ତାହିକ ହାଟ। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକେ କୋଭିଡ କଟକଣାକୁ ଠିକ୍ ଭାବେ ଅନୁପାଳନ ବିଶେଷ କରି ସାମାଜିକ ଦୂରତା ରକ୍ଷା ପରେ ଗୁରୁତ୍ବାରୋପ କରିଥିଲେ। ଡ଼ାକବାଜି ଯନ୍ତ୍ର ଓ ଲିଫ୍ଲେଟ୍ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା ସହିତ କୋଭିଡ-୧୯ ର ନିୟମକୁ ସଦାସର୍ବଦା ଅନୁକରଣ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ