ଭୁବନେଶ୍ବର:ରାତି ପାହିଲେ ଦେଶ 72ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ତେବେ ମହାତ୍ମା ଗାନ୍ଧୀ ମାର୍ଗରେ ପ୍ରତିବର୍ଷ ପରି ମଧ୍ୟ ଚଳିତ ବର୍ଷ ଗଣତନ୍ତ୍ର ଦିବସ ପାଳନ ହେବ । ଏଥିଲାଗି ମଙ୍ଗଳବାର ସକାଳ ସାଢେ 6 ଟାରୁ 9ଟା ପର୍ଯ୍ୟନ୍ତ ଏହି ମାର୍ଗରେ କୌଣସି ଯାନବାହନ କିମ୍ବା ପଦଯାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।
ଏହି ରାଜପଥରେ ଗଣତନ୍ତ୍ର ଦିବସ ଲାଗି ପରେଡ ହେଉଥିବାରୁ ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଚଳିତ ବର୍ଷ କୋରୋନା ସଂକ୍ରମଣ ଦୃଷ୍ଟିରୁ ସାଧାରଣ ଜନତାଙ୍କୁ ମଧ୍ୟ ଏହି ସ୍ଥଳକୁ ଯିବା ପାଇଁ ଅନୁମତି ମିଳିନାହିଁ । ତେବେ ଚଳିତ ବର୍ଷ ଷ୍ଟେଟ୍ ଲେଭଲ୍ ଆରଡି ପରେଡ 2021କୁ ଆସିଷ୍ଟାଣ୍ଟ ପୋଲିସ୍ ଅଧୀକ୍ଷକ ଏସ୍ ସୁଶ୍ରୀ(25) ନେତୃତ୍ବ ନେବାକୁ ଯାଉଥିବା ସମ୍ପର୍କରେ ଭୁବନେଶ୍ୱର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ସୁଶ୍ରୀ 2018 ମସିହା ଆଇପିଏସ୍ ବ୍ୟାଚର ଛାତ୍ରୀ ହୋଇଥିବା ବେଳେ ତାଙ୍କୁ ଏହି ସୁଯୋଗ ଦିଆଯାଇଥିବାରୁ ପୋଲିସ କମିଶନର ଡ଼କ୍ଟର ଷଡ଼ଙ୍ଗୀ ସୁଶ୍ରୀ ଏବଂ ତାଙ୍କ ପିତାମାତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।