ଭୁବନେଶ୍ବର: ଶ୍ରୀମନ୍ଦିର ସ୍ଥିତି ଓ ସୁରକ୍ଷା ଅନୁଧ୍ୟାନ କରିବା ନେଇ ବିଧାନସଭା ଗୃହ କମିଟି ଗଠନ ହୋଇଛି । ତେବେ ଗୃହ କମିଟି ବୈଠକ ବସୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସଦସ୍ୟ । ଏପଟେ ଗୃହ କମିଟିର ଯାହା ଅଧିକାର ଅଛି, ତାହା ଆଉ କାହାର ନାହିଁ ବୋଲି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି । ତେବେ କାହିଁକି ବାଚସ୍ପତି ବୈଠକ ଡାକୁନାହାନ୍ତି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।
ଗୃହ କମିଟିର ଯାହା ଅଧିକାର ଅଛି, ଆଉ କାହାର ନାହିଁ: ନରସିଂହ ମିଶ୍ର ନରସିଂହ କହିଛନ୍ତି ଯେ, ଶ୍ରୀମନ୍ଦିର ବିବାଦ ନେଇ ଗଠନ ହୋଇଥିବା ଗୃହ କମିଟିରେ ମୁଁ ସଦସ୍ୟ ଅଛି । ଗୃହ କମିଟି ନେଇ ଉଭୟ କଂଗ୍ରେସ ଓ ବିଜେପି ବିଧାନସଭାରେ ଦାବି କରିଥିଲେ । ଗୃହ କମିଟି କରି ତୁରନ୍ତ ଅନୁସନ୍ଧାନ ଲାଗି ଦାବିକୁ ସରକାର ଗ୍ରହଣ କରିଥିଲେ । ସରକାର ମାର୍ଚ୍ଚ 31 କମିଟି ଘୋଷଣା କରିଥିଲେ । ତତ୍କାଳ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ଉଦେଶ୍ୟ ଥିଲା । କାରଣ ବିଭିନ୍ନ ଲୋକ ଭିନ୍ନ ଭିନ୍ନ କଥା କହୁଛନ୍ତି । ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି । ହେଲେ ଏଯାଏଁ ବୈଠକ ବସିଲା ନାହିଁ କିମ୍ବା କମିଟି ପୁରୀ ଗସ୍ତ କଲା ନାହିଁ ।
ନରସିଂହ ଆହୁରି କହିଛନ୍ତି ଯେ, ଗୃହ କମିଟି ହେଉଛି ସର୍ବଦଳୀୟ କମିଟି । ଏହାଠାରୁ ଅଧିକ ଅଧିକାର ଆଉ କାହାର ନାହିଁ । ଏମିତି କି ହାଇକୋର୍ଟ ମଧ୍ୟ ସେମିତି ଅଧିକାର ନାହିଁ । ଯଦି ଅଦାଲତ ଅବମାନନା ହୋଇନଥିବ ତେବେ ଗୃହ କମିଟିକୁ କେହି ଓଲଟପାଲଟ କରିପାରିବେ ନାହିଁ । କମିଟି ବୈଠକ ବସିଲା ନାହିଁ କିମ୍ବା କମିଟି ପୁରୀ ଗସ୍ତ କଲା ନାହିଁ । ତେଣୁ ନିଜେ ଦେଖିବା ପାଇଁ ଏକଲା ଲୁଚିକି ପୁରୀ ଯାଇଥିଲି । ଏକଲା ଲୁଚି ପୁରୀ ଯାଇଥିଲି, ଏହା କଣ ରାଜନୀତି କରିବାକୁ ଯାଇଥିଲି । ଯେହେତୁ ମୁଁ କମିଟିର ସଦସ୍ୟ ଅଛି ତେଣୁ ସେ ବାବଦରେ ମତ ଦେଇପାରିବି ନାହିଁ । ପୁରୀରେ ଯେଉଁ ଦୃଶ୍ୟ ଦେଖିଲି, ମୋର ସନ୍ଦେହ ସୃଷ୍ଟି ହୋଇଛି । ମନ୍ଦିର ସୁରକ୍ଷିତ ଅଛି ବୋଲି ଗଜପତି ମହାରାଜା ଆଉ ଏକ ବକ୍ତବ୍ୟ ଦେଇଛନ୍ତି । ସେତେବେଳେ ମୋ ସନ୍ଦେହ ଆହୁରି ବଢି ଯାଇଛି । କେଉଁଟା ସତ ଓ କେଉଁଟା ମିଛ ? ତେଣୁ ତୁରନ୍ତ କମିଟି ଯିବାର ଆବଶ୍ୟକତା ରହିଛି । ଏଏସଆଇ ଅଧିକାରୀଙ୍କୁ ଡାକିବାର କମିଟିର ଅଧିକାର ଅଛି ।
ରାଜ୍ୟ ସରକାରଙ୍କ ଫାଇଲ ମଗେଇ ପାରିବ କମିଟି । ସେମାନଙ୍କ ଷ୍ଟେଟମେଣ୍ଟ ରେକର୍ଡ କରିପାରିବ କମିଟି । ଯିଏ ଯାହା କହୁଛନ୍ତି, ଆମେ ସମସ୍ତଙ୍କୁ ଡାକିବୁ । ପ୍ରଶ୍ନ କରିବୁ, କାଗଜ ଦେଖିବୁ । କେଉଁଟା ସତ, କେଉଁଟା ମିଛ ଜାଣିବୁ । ତାପରେ ରିପୋର୍ଟ କରିବୁ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ