ଭୁବନେଶ୍ବର: ଏଣିକି ଆଉ ନିଯୁକ୍ତ ହେବେନି ଡାଟା ଏଣ୍ଟ୍ରି ଅପରେଟର । ଏନେଇ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି । କୌଣସି ବିଭାଗ, ବିଭାଗୀୟ ମୁଖ୍ୟଦପ୍ତର କିମ୍ବା ସରକାରୀସ୍ତରରେ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ନିଯୁକ୍ତି ହେବେ ନାହିଁ । ସରକାରୀ କିମ୍ବା ଆଉଟସୋର୍ସିଂ ସଂସ୍ଥା ଜରିଆରେ ବି ନିଯୁକ୍ତି ଦିଆଯିବନାହିଁ । ଡିଇଓ ନିଯୁକ୍ତି ନକରିବା ପାଇଁ ଗୃହ ବିଭାଗ ପକ୍ଷରୁ ସବୁ ବିଭାଗ ମୁଖ୍ୟଙ୍କୁ ଏକ ନିର୍ଦେଶନାମା ଜାରି ହୋଇଛି । ଏହା ସହ 70 ହଜାର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସରକାର ଛଟେଇ କରିପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ ବିବାଦ ଦେଖା ଦେଇଛି ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାପଡିଛି ଯେ, ଡିଇଓ ନିଯୁକ୍ତିରେ ବ୍ୟତିକ୍ରମ ହୋଇଛି । ଡିଇଓମାନଙ୍କ ଯୋଗ୍ୟତା ପ୍ରମାଣପତ୍ର ଠିକଣା ଭାବେ ଯାଞ୍ଚ କରାନଯାଇ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ନିଯୁକ୍ତିକୁ ଏବେ 6 ବର୍ଷରୁ ଊର୍ଦ୍ଧ୍ବ ହୋଇଯିବାରୁ ନିୟମିତ ଲାଗି ସେମାନେ ଦାବି କରୁଛନ୍ତି । ଏହା ଦ୍ବାରା ସରକାରଙ୍କ ଉପରେ ଅଯଥା ଚାପ ସୃଷ୍ଟି ହେଉଛି । ତେଣୁ ନୂଆ ନିଯୁକ୍ତି ହେବନାହିଁ । ଏବଂ ପୁରୁଣା ନିଯୁକ୍ତିର ଯାଞ୍ଚ କରାଯିବ । ପୂର୍ବରୁ ଯେଉଁ ଡିଇଓ ନିଯୁକ୍ତି ପାଇଛନ୍ତି ସେମାନଙ୍କ କାଗଜପତ୍ର ଯାଞ୍ଚ କରାଯିବ । ଯଦି କୌଣସି ପ୍ରମାଣପତ୍ରରେ ତ୍ରୁଟି ଥିବା ପରିଲକ୍ଷିତ ହେବ, ତେବେ ସଂପୃକ୍ତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାକୁ ଦାୟୀ କରାଯିବ । ସଂପୃକ୍ତ ସଂସ୍ଥାକୁ ଜୋରିମାନା କରାଯିବା ସହିତ ସରକାରୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦିଆଯିବ ।