ଭୁବନେଶ୍ବର:କୋଭିଡର ନୂଆ ଭାରିଏଣ୍ଟକୁ ନେଇ କୌଣସି ଭୟ ନାହିଁ। ବର୍ତ୍ତମାନ ପଜିଟିଭିଟି ରହିଛି, ଆଗକୁ ସତର୍କ ରହିବାକୁ ପଡିବ । ନୂଆ ଭାରିଏଣ୍ଟକୁ ନେଇ ଦେଶ ବିଦେଶରେ ଭୟ ଘାରିଥିବାବେଳେ ରାଜ୍ୟବାସୀଙ୍କୁ ଏନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ କିଛି ଦେଶରେ ପୁଣି ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଆମ ଦେଶରେ ମଧ୍ୟ କିଛିକିଛି ସ୍ଥାନରେ ସଂକ୍ରମଣ ବଢିବାର ଦେଖାଗଲାଣି । ତେବେ ଆମକୁ କୋଭିଡ ଗାଇଡଲାଇନ ପାଳନ କରିବା ସହ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ପଡିବ ।
ପୂର୍ବ ବର୍ଷ ଅପେକ୍ଷା ସ୍ଥିତି ଭିନ୍ନ ରହିଛି। ବର୍ତ୍ତମାନ 80 ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବାଡି ବିକଶିତ ହୋଇସାରିଛି । ରାଜ୍ୟରେ ଟୀକାକରଣ ମାଧ୍ୟମରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପ୍ରକ୍ରିୟା ଜାରି ରହିଛି । ତେବେ ସାମ୍ଭାବ୍ୟ ତୃତୀୟ ଲହର ହାର୍ଡ ଇମ୍ୟୁନିଟି ଉପରେ ନିର୍ଭର କରିବ । ପୂର୍ବ ଦୁଇ ଲହରରୁ ଟେଷ୍ଟିଂ, ଟ୍ରାକିଂ, ସର୍ଭେଲାନ୍ସରେ ଯଥେଷ୍ଟ ଅଭିଜ୍ଞତା ହେଲାଣି । ବର୍ତ୍ତମାନ ଭୂତାଣୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯିବ ତାହା ନୁହେଁ ବରଂ ସଂକ୍ରମଣ ପୂର୍ବାପେକ୍ଷା କମ ରହିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ