ଭୁବନେଶ୍ବର:ଏବେ ଅପରାଧିଙ୍କ ଗଡ଼ ପାଲଟିଛି ରାଜଧାନୀ ଭୁବନେଶ୍ବର । ଯେଉଁଆଡ଼େ ଯିବେ ସେହିଆଡ଼େ ବିପଦ । ଅପରାଧିଙ୍କ କବ୍ଜାରେ ଏବେ ଭୁବନେଶ୍ୱର କହିଲେ ଭୁଲ୍ ହେବନାହିଁ । ଚାଲିବା ତ ଦୂରର କଥା ଗାଡ଼ିରେ ଯିବାଆସିବା କରିବା ମଧ୍ୟ ସମ୍ଭବ ହେଉନାହିଁ । କାରଣ ଏଠି ପାଦେପାଦେରେ ଛକିଛନ୍ତି ଅପରାଧି । ଖାଲି ସୁଯୋଗ ଦେଖି କଳାକନା ବୁଲାଉଛନ୍ତି । କେତେବେଳେ ବାଟରେ ଯିବା ବେଳେ ସୁନା ଚେନ ଝାମ୍ପି ନେଉଛନ୍ତି ତ କେତେବେଳେ ମୋବାଇଲରେ କଥାହୋଇଯିବା ବେଳେ ମୋବାଇଲ ଝାମ୍ପୁଛନ୍ତି । ବର୍ତ୍ତମାନ ଛିନତାଇ ଅପରାଧୀ ଭୁବନେଶ୍ବରକୁ କବଳିତ କରି ରଖିଛନ୍ତି ।
କେଉଁଠି ଗାଡ଼ିର ବନେଟରେ କାଳି ପକାଇ ଭ୍ୟାନିଟ ଝାମ୍ପୁଛନ୍ତ ତ କେଉଁଠି ମହିଳାଙ୍କୁ ଏକୁଟିଆ ଦେଖି ଗହଣା ଝାମ୍ପି ଛୁ ମାରୁଛନ୍ତି ଅପରାଧି । ନୂଆ ନୂଆ ତରିକାରେ ପୋଲିସକୁ ଭୁଆଁ ବୁଲାଇ ଲୁଟପାଟ କରୁଛନ୍ତି ଅପରାଧି । ଶେଷରେ କାନ ଆଉଁସି ରହୁଛନ୍ତି ସହରବାସୀ । ସେପଟେ FIRଟେ ଧରାଇ କମିଶନରେଟ ପୋଲିସ ମଧ୍ୟ ଚୁପ୍ ବସିଛି । ଭୁବନେଶ୍ୱରରେ ଛିନତାଇ ଏବେ ବଡ୍ ସମସ୍ୟା ହୋଇ ଉଭା ହୋଇଛି । କାରଣ ଗତ ନଭେମ୍ବର ମାସର ରେକର୍ଡ ଦେଖି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଛି ।
ପ୍ରପର୍ଟି ଅଫେନ୍ସ ପ୍ରପର୍ଟି ଡିଟେକ୍ସନ ଟିମ୍ ବି ଅକାମି ହେଲାଣି ବୋଲି ପୋଲିସ ନିଜେ ଭାବୁଛି । ପୋଲିସ ଯେତେ ନିୟମ ବାହାର କରୁଛି ଅପରାଧି ସେତେ ଚାଲାକ ହେଉଛନ୍ତି । ପୋଲିସର ସବୁ ବ୍ଲୁ ପ୍ରିଣ୍ଟ୍ ଅପରାଧି ଆଗରେ ହାର୍ ମାନିଛି । ରାଜଧାନୀରେ ୩୦ ଦିନରେ ୬୦ରୁ ଊର୍ଦ୍ଧ୍ବ ଛିନତାଇ କରିଛନ୍ତି ଅପରାଧି ।ଯେଉଁଥିରେ କେବଳ ୪୦ଟି ଚେନ ଛିନତାଇ ରହିଥିବା ବେଳେ ୨୦ଟି ମୋବାଇଲ ସ୍ନାଚିଂ ମାମଲା ରହିଛି । ଏସବୁସତ୍ତ୍ବେ ମାତ୍ର ହାତ ଗଣତି ୬ରୁ ୮ଟି ମାମଲାର ସମାଧାନ କରିଛି କମିସନରେଟ ପୋଲିସର ଭୁବନେଶ୍ୱର ୟୁପିଡି ଟିମ୍ ।
ନିଜ ବିଫଳତା ଛବି ଖରାପ ଯୋଗୁଁ ମାସିକିଆ ରିପୋର୍ଟ ଦେବାକୁ ଡରୁଛନ୍ତି ସୁପରକପ୍ ଅଫିସର । ହ୍ବାଇଟ ସ୍ପାଇଡର ଓ ସାଇବର କ୍ରାଇମ ମାସିକିଆ ରିପୋର୍ଟ ଗଣମାଧ୍ୟମକୁ ଦିଯାଉଥିବା ବେଳେ ଷ୍ଟ୍ରିଟ୍ କ୍ରାଇମର ରିପୋର୍ଟ ପୋଲିସ ଲୁଚାଉଛି । କାରଣ ବିଧାନସଭା ଅଧିବେଶନ ଚାଲୁଥିବାରୁ ସହରର ସ୍ଥିତି ଅଧିବେଶନ ସମୟରେ ପୋଲିସ ପାଇଁ ଅଡୁଆ ସୃଷ୍ଟି କରିପାରେ । ଦୀର୍ଘଦିନ ଧରି ଆଡ୍ଡା ଜମାଇଥିବା ହାତଗଣତି ଅଧିକାରୀଙ୍କ ବଦଳି ପ୍ରସଙ୍ଗ ଉଠିପାରେ । ବଡ଼ବଡ଼ ଅଫିସରଙ୍କ ଫେବରାଇଟ ସାଜିଥିବା ଅଫିସରଙ୍କ କାରନାମା ପଦାରେ ପଡ଼ିଯିବାର ଭୟ ଘାରିଛି ।