ଭୁବନେଶ୍ବର: ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବିରୁଦ୍ଧରେ ଶ୍ରମିକମାନଙ୍କ ଅସନ୍ତୋଷ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି। ବୋର୍ଡ଼ର ଶ୍ରମିକ ମାରଣ ନୀତି ଓ ପଞ୍ଜିକୃତ ଶ୍ରମିକମାନଙ୍କୁ ସହାୟତା ପ୍ରଦାନରେ ଟାଳଟୁଳ ନୀତିକୁ ନେଇ ଆସନ୍ତା 27ରୁ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆହୋରାତ୍ର ଗଣଧାରଣା ଦିଆଯିବ । ଏନେଇ ନିର୍ମାଣ ଶ୍ରମିକ ୟୁନିଅନ ସମନ୍ବୟ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି ।
ଏ ନେଇ ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର ଆବାହକ ଶ୍ରୀଯୁକ୍ତ ବିଜୟ ଜେନା କହିଛନ୍ତି କି, ଶ୍ରମିକ ମାନଙ୍କ ସୁବିଧା ନିମନ୍ତେ ସରକାର ଗ୍ରହଣ କରିଥିବା ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପରିବର୍ତ୍ତେ ଏହାକୁ ହଡ଼ପ କରି ଅର୍ଥ ଆତ୍ମସାତ କରାଯାଉଛି। ଲୋକଙ୍କୁ ବିଭିନ୍ନ ନୀତି ନିୟମର ଆଳ ଦେଖାଇ ଶୋଷଣ କରାଯାଉଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ସହାୟତା, ପକ୍କାଘର ପାଇଁ ଅର୍ଥ ପ୍ରଦାନ, ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ସହାୟତା ରାଶି ପ୍ରଦାନ ଏପରିକି ପଞ୍ଜିକରଣ କ୍ଷେତ୍ରରେ ବହୁତ ପକ୍ଷପାତିତା ହେଉଥିବା କହିଛନ୍ତି।