ଭୁବନେଶ୍ବର: ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟ ଏବଂ କେନ୍ଦ୍ର ଉଭୟ ପରସ୍ପର ପରିପୂରକ । ସଙ୍ଘୀୟ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ତାଙ୍କର ପ୍ରାପ୍ୟ ଅର୍ଥ ଯୋଗାଇ ଦେଇଥାନ୍ତି । ବସ୍ତୁତ ମୂଳ ପ୍ରସଙ୍ଗଟି କେନ୍ଦ୍ର ସରକାର ଯେଉଁ ଆୟ କରନ୍ତି ତାହା ସମସ୍ତ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରୁ ହିଁ ହୋଇଥାଏ । ତେଣୁ କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ଯେଉଁ ଅର୍ଥ ଦେଇଥାନ୍ତି ତାହା ରାଜ୍ୟର ଅଂଶଧନ ଅଟେ । ବାତ୍ୟା ୟସ ପ୍ରକୋପ ନଥମିବା ପୂର୍ବରୁ ରାଜ୍ୟରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କର ଟ୍ବିଟ ଯୁଦ୍ଧ ଅତ୍ୟନ୍ତ ଅରୁଚିକର ଏବଂ କେଉଁଠି ନା କେଉଁଠି ଏହା ସଂଘୀୟ ବ୍ୟବସ୍ଥାର ପରିପନ୍ଥି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି ।
କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ କିସ୍ତି ୬୪୧.୬ କୋଟି ଦେଇଛନ୍ତି । ଯାହା ରାଜ୍ୟର ପାଇବାର ହକ ତାହାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ମେ ମାସ ୧ ତାରିଖରେ ରାଜ୍ୟକୁ ଦେଇଛନ୍ତି ।
ଏହି ଅର୍ଥ ରାଜ୍ୟ ସରକାର ମେ ମାସ ୩୧ ତାରିଖ ସୁଦ୍ଧା ପାଇବା କଥା । ତେଣୁ ଏ ଅର୍ଥ ଅଗ୍ରୀମ ଆକାରରେ ପଠାଯାଇଅଛି । କିନ୍ତୁ ଏହି ଅଗ୍ରୀମ ଟଙ୍କା ପଠାଇବା ପଛରେ ଯଦି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କର ଚିଠିଟିକୁ ପଢ଼ାଯାଏ ତାହାହେଲ ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଏହି ଟଙ୍କା ରାଜ୍ୟକୁ ଦିଆଯାଇଥିଲା କୋଭିଡ ପରିଚାଳନା, ଭେଣ୍ଟିଲେଟର, ଅତ୍ୟାବଶକୀୟ ଔଷଧପତ୍ର ଏବଂ ହସ୍ପିଟାଲର ବେଡ ଇତ୍ୟାଦି ବୃଦ୍ଧି କରିବା ପାଇଁ । କିନ୍ତୁ ଏହି ଅର୍ଥ କୌଣସି ପ୍ରକାରର ବାତ୍ୟା ଜନିତ କ୍ଷୟକ୍ଷତି ପାଇଁ ଦିଆଯାଇ ନଥିଲା ।