ଭୁବନେଶ୍ବର: ଦଳିତ ଛାତ୍ରବୃତ୍ତି ନେଇ କେନ୍ଦ୍ର ଉପରେ ବର୍ଷିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମୋଦି ସରକାର ଆଦିବାସୀ, ପଛୁଆବର୍ଗ, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ଗରିବ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ବୃତି ସର୍ବନିମ୍ନ ମାସିକ 1 ହଜାର ଟଙ୍କା ହିସାବରେ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏକ ପ୍ରେସ ବିଜ୍ଞପ୍ତିରେ ସେ ଏହା ପ୍ରକାଶ କରିଛନ୍ତି ।
ଗତବର୍ଷ ଡିସେମ୍ବର 24ରେ ବିଭିନ୍ନ ଖବର କାଗଜରେ ପ୍ରକାଶିତ ଖବର ଅନୁଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୧-୨୨ ବର୍ଷରୁ ଦଳିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ନିମନ୍ତେ ବୃତ୍ତି ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା।
ଆଉ ଗତବର୍ଷ ୨୩ ଡିସେମ୍ବର ଅନୁଷ୍ଠିତ କ୍ୟାବିନେଟ୍ ନିଷ୍ପତ୍ତି ବାବଦରେ ଗଣମାଧ୍ୟମରେ ପ୍ରମୁଖ ଭାବରେ ଏ ବାବଦରେ ଖବର ପ୍ରସାରିତ ଓ ପ୍ରକାଶିତ ହୋଇଛି । ମାତ୍ର ବାସ୍ତବରେ ମୋଦି ସରକାରଙ୍କର ଦଳିତ ଛାତ୍ରବୃତ୍ତି ପରିମାଣ “ପର୍ବତର ମୂଷିକ ପ୍ରସବ” ଏବଂ ସରଳ ଦଳିତ ଛାତ୍ରଛାତ୍ରୀଙ୍କ ଦାରିଦ୍ର୍ୟ ପ୍ରତି ଉପହାସ ।
କେନ୍ଦ୍ରୀୟ ନିଷ୍ପତ୍ତି ଅନୁସାରେ, ଜଣେ ଦଳିତଛାତ୍ର ଦୈନିକ ମାତ୍ର ଟ୪. ୯୩ ପଇସା ଅର୍ଥାତ ଚାହା କପଟିଏ କିମ୍ବା ଆଳୁଚପ ଟିର ଦାମ 5 ଟଙ୍କା ଠାରୁ ବି କମ । କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, 5 ବର୍ଷରେ ୫୯ ହଜାର କୋଟି ଟଙ୍କା ହିସାବରେ ୪ କୋଟି ଦଳିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ବୃତ୍ତି ବାବଦରେ ଖର୍ଚ୍ଚ ହେବ ।
ଏହା କେନ୍ଦ୍ର ଓ ରାଜ୍ୟ ୬୦ ପ୍ରତିଶତ ଏବଂ ୪୦ ପ୍ରତିଶତ ହିସାବରେ ଧାର୍ଯ୍ୟ ହୋଇଛି । ଅର୍ଥାତ୍ କେନ୍ଦ୍ରର ମୋଦି ସରକାର ୫ ବର୍ଷରେ ୪ କୋଟି ଛାତ୍ରଛାତ୍ରୀଙ୍କୁ ୩୫,୫୩୪ କୋଟି ଟଙ୍କା ଅର୍ଥରାଶି ପ୍ରଦାନ କରିବେ । ଏହାକୁ ହିସାବ କଲେ ବାର୍ଷିକ ୭,୧୦୬ କୋଟି ଅର୍ଥାତ୍ ଜଣେ ଦଳିତ ଛାତ୍ରଛାତ୍ରୀ ବାବଦରେ ବାର୍ଷିକ ୧,୭୭୭ ପାଇବେ । ଅର୍ଥାତ୍ ମାସିକ ୧୪୮ ଟଙ୍କା ବା ଦୈନିକ ଟ୪.୯୩ ପଇସା ପାଇବେ । ଏହା ଭାରତ ବର୍ଷର ସମସ୍ତ ଦଳିତଙ୍କ ପ୍ରତି ଚରମ ଉପହାସ ।
ଏହାସହ କେନ୍ଦ୍ର ସରକାର ୬୦ ଓ ୪୦ କେନ୍ଦ୍ର ରାଜ୍ୟ ଭାଗୀଦାରୀ ପ୍ରହସନ ବନ୍ଦ କରନ୍ତୁ । ତୁରନ୍ତ ପ୍ରତ୍ୟେକ ଦଳିତ ଛାତ୍ରଛାତ୍ରୀଙ୍କୁ ମାସିକ ସର୍ବନିମ୍ନ ଏକ ହଜାର ଟଙ୍କା ହିସାବରେ ବାର୍ଷିକ 12 ହଜାର ଟଙ୍କା ନିଜସ୍ବ ଭାବରେ କେନ୍ଦ୍ର ସରକାର ପ୍ରଦାନ କରିବାକୁ ପ୍ରଦେଶ କଂଗ୍ରେସ କମିଟି ଦାବି ରଖି ଆସିଛି ବୋଲି ନିରଞ୍ଜନ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ