ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ ଅଫିସର, ଜିଲ୍ଲାପାଳ ଓ ଏସ୍.ପି ମାନଙ୍କ ସହିତ ଆଲୋଚନା କରିଛନ୍ତି। କୋଭିଡ ପରିଚାଳନାରେ ଜିଲ୍ଲାପାଳ ଓ ଏସ୍.ପି ମାନେ ସେମାନଙ୍କର ଗତ ତିନି ମାସର ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ଜୁଲାଇ ମାସରେ କୋଭିଡ ମୁକାବିଲା ପାଇଁ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଛନ୍ତି। ସେମାନଙ୍କ ମତାମତ ଭିତ୍ତିରେ ରାଜ୍ୟ ସରକାର କୋଭିଡ ପରିଚାଳନା ପାଇଁ ବିସ୍ତୃତ ରଣନୀତି ନିର୍ଦ୍ଧାରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବୈଠକରେ ଜିଲ୍ଲାପାଳ, ଏସ୍.ପି ଓ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କୋଭିଡ ଯୋଦ୍ଧାଙ୍କ ସ୍ବାସ୍ଥ୍ୟର ଯତ୍ନ ଉପରେ ଗୁରୁତ୍ବାରୋପ କରିଥିଲେ । ଲୋକଙ୍କ ସୁରକ୍ଷା ପାଇଁ ସେମାନେ ଅନେକ ତ୍ୟାଗ କରୁଛନ୍ତି। ତେଣୁ ସେମାନଙ୍କୁ ନିଜର ସୁରକ୍ଷା ସଂପର୍କରେ ସଚେତନ କରାଯିବା ଦରକାର ଓ ଏହା ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ନିଜେ ସଂକ୍ରମିତ କୋଭିଡ ଯୋଦ୍ଧା ମାନଙ୍କ ସହିତ ଫୋନ୍ରେ କଥା ହୋଇ ସେମାନଙ୍କ ଭଲମନ୍ଦ ବୁଝୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର ଫିଡବ୍ୟାକ ବହୁତ ଭଲ ଅଛି। ବରିଷ୍ଠ ଅଧିକାରୀମାନେ ମଧ୍ୟ ସେହିଭଳି ଭାବେ ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ସହିତ ଆଲୋଚନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହାଦ୍ବାରା ଯୋଦ୍ଧା ମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ସେ ମତ ଦେଇଥିଲେ ।
ବିଭିନ୍ନ ସରକାରୀ ଅଫିସ ଗୁଡିକ ଯେପରି ସଂକ୍ରମଣମୁକ୍ତ ରହିବ, ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । କୋଭିଡ ନିୟମର କଡାକଡି ଅନୁପାଳନ କରି ସରକାରୀ କାର୍ଯ୍ୟାଳୟ ଗୁଡିକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ କରି ରଖିବା, କର୍ମଚାରୀ ମାନେ କଣ କରିବେ, କଣ ନ କରିବେ ସେ ସଂପର୍କରେ ବ୍ୟାପକ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ। ସବୁ କାର୍ଯ୍ୟାଳୟର ମୁଖ୍ୟ ଏଥିପାଇଁ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରି ଦେଇଛନ୍ତି। କୋଭିଡ ସଂକ୍ରମଣ ରୋକିବାରେ ମାସ୍କର ବିଶେଷ ଗୁରୁତ୍ବ ରହିଛି। ତେଣୁ ମାସ୍କର ଉପଯୁକ୍ତ ବ୍ୟବହାର ଓ ସାମାଜିକ ଦୂରତା ନିୟମର କଡାକଡି ପାଳନ ସହିତ ଉଲଙ୍ଘନ କ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ମଧ୍ୟରେ ପ୍ରାୟ ତିନି ମାସ ବିତିଗଲାଣି ଏବଂ ବର୍ତ୍ତମାନ ଏସବୁ ଉଲଙ୍ଘନ ଘଟଣାରେ ଅଧିକ କଠୋର ହେବାକୁ ପଡିବ।