ଭୁବନେଶ୍ବର: ଶାଶୁ ଘର ଲୋକଙ୍କ ନିର୍ଯାତନା ହେଲା ଅସହ୍ୟ । ଶେଷରେ ଯନ୍ତ୍ରଣା ସହିନପାରି ଜୀବନ ହାରିଲେ ନବବଧୂ । ଏଭଳି ଦୁଃଖଦ ଘଟଣା ମଞ୍ଚେଶ୍ବର ଥାନା ଜିଜିପି କଲୋନୀରେ ଆସିଛି । ଭାଇଙ୍କ ପାଖରେ ରହୁଥିବା ବେଳେ ନବବଧୂ ଜଣକ ବେକରେ ଓଢଣୀ ଲଗାଇ ଜୀବନ ହାରିଥିବା ଜଣାପଡ଼ିଛି ।
ମୃତ ନବବଧୂ ହେଉଛନ୍ତି ନିଆଳିର ପ୍ରଜ୍ଞା ପାରମିତା ସ୍ବାଇଁ । ଆତ୍ମହତ୍ୟା ପରେ ଥାନାରେ ଭାଇ ଆଣିଛନ୍ତି ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ । ୨୦୨୨ ଜୁନ ୮ରେ ବିବାହ କରିଥିଲେ ପ୍ରଜ୍ଞା । ପଟିଆରେ ରହୁଥିବା ପ୍ରଶାନ୍ତ ପାତ୍ରଙ୍କ ସହ ହୋଇଥିଲା ବିବାହ । ବିବାହର ମାତ୍ର ୧୦ ଦିନ ପରେ କର୍କଟ ହୋଇଥିବା କହି ପ୍ରଜ୍ଞାଙ୍କୁ ଶାଶୁ ଘର ଲୋକେ ଘରୁ ବାହାର କରି ଦେଇଥିଲେ । ଯେତିକି ଦିନ ବି ଥିଲେ ବୋହୂର ଅଧିକାର ବି ମିଳୁନଥିଲା ବୋଲି ଅଭିଯୋଗ କରିଛନ୍ତି ମୃତ ପ୍ରଜ୍ଞାଙ୍କ ପରିବାର । ଘରକୁ ଆସିବା ପରେ ଚିକିତ୍ସା ପରେ କର୍କଟ ନୁହେଁ, ବରଂ ତାଙ୍କ ଦାନ୍ତ ବିନ୍ଧା ହେଉଥିବା ଜଣାପଡିଥିଲା ।