ଭୁବନେଶ୍ୱର: ଜେଲରେ ଥାଇ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କ ନୂଆବର୍ଷ ଶୁଭେଚ୍ଛା । ନିଜ ଭାବ ମୂର୍ତ୍ତି ସୁଧାରିବାକୁ ପ୍ରୟାସ ନା ଆଗାମୀ ଦିନରେ ରାଜ୍ୟ ରାଜନୀତିରେ କରିବେ ଯୋଗଦାନ । ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି ।
ରାଜଧାନୀ ରାସ୍ତାରେ ଗ୍ୟାଙ୍ଗଷ୍ଟାରର ଶୁଭେଚ୍ଛା ବାର୍ତ୍ତା ! ପୋଲିସ ଉପରକୁ ଉଠିଲା ପ୍ରଶ୍ନ ଏଭଳି ଚର୍ଚ୍ଚାର କାରଣ ହେଉଛି ରାଜଧାନୀରେ ଲାଗିଥିବା ଏକ ବ୍ୟାନର । ଯେଉଁଥିରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କ ଫଟୋ ଲାଗିଥିବା ବେଳେ ବର୍ଷଟି ଜନସାଧାରଣଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ ବୋଲି ଜଗନ୍ନାଥଙ୍କ ନିକଟରେ ପାର୍ଥନା କରିଛନ୍ତି ।
ବ୍ୟାନରଟିରେ ହିନ୍ଦୁ ସେନା ଲେଖା ଥିବା ବେଳେ ଏହାକୁ କିଏ ଲଗାଇଛି ତାହା ଜଣାପଡିନାହିଁ । ତେବେ ରାଜଧାନୀରେ ବ୍ୟାନର ଓ ପୋଷ୍ଟର ନେଇ ବିଏମସିର ସ୍ବତନ୍ତ୍ର ଗାଇଡଲାଇନ ଥିବାବେଳେ କିଭଳି ଏହି ବ୍ୟାନର ଲାଗିଛି, ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ କି ବିରଞ୍ଚି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥାଇ ଗିରଫ ହୋଇ ଜେଲେ ଯାଇଥିଲେ । ପରେ ଜାମିନରେ ଆସିଥିବା ବେଳେ ନିକଟରେ ଦାଦାବଟି ମାଗିବା ଅଭିଯୋଗରେ ପୁଣି ଥରେ ଜେଲ ଯାଇଥିଲେ । ସେଥିରୁ ବେଲ ମିଳିବା ପରେ ଏନଏସଏରେ ଗିରଫ ହୋଇ ଏବେ ଜେଲରେ ରହିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ