ଓଡିଶା

odisha

By

Published : Oct 14, 2019, 3:30 AM IST

ETV Bharat / city

ନୂଆ ଟ୍ରାଫିକ ଆଇନ ନେଇ ବ୍ୟାପକ ସଚେତନତା

ନୂତନ ମୋଟର ଯାନ ଆଇନର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲାସ୍ତରରୁ ଆରମ୍ଭ ହୋଇଛି ସଚେତନତା ଅଭିଯାନ। ଅଧିକ ଖବର ପଢନ୍ତୁ...

ନୂଆ ଟ୍ରାଫିକ ଆଇନ ନେଇ ବ୍ୟାପକ ସଚେତନତା

ଭୁବନେଶ୍ବର: ସଡ଼କ ନିରାପତ୍ତା ଓ ନୂତନ ମୋଟର ଯାନ ଆଇନର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲାସ୍ତରରୁ ଆରମ୍ଭ ହୋଇଛି ସଚେତନତା ଅଭିଯାନ। ଏହାକୁ ବ୍ୟାପକ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ରାଜ୍ୟର ପରିବହନ ଜିଲ୍ଲାଗୁଡ଼ିକରେ ଏହି ଅଭିଯାନକୁ ସଶକ୍ତ କରାଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ଶ୍ରୀନିବାସ ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି ।

ଗତ ସେପ୍ଟେମ୍ବର ପହିଲାରୁ ମୋଟର ଯାନ (ସଂଶୋଧନ) ଆଇନ, ୨୦୧୯ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି । ଏହା ଭିତରେ ସମସ୍ତ ଯାନଚାଳକ ମାଲିକଙ୍କୁ କାଗଜପତ୍ର ନବୀକରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତିନିମାସ ସମୟ ଦିଆଯାଇଛି । ଏହି ସମୟ ମଧ୍ୟରେ ଲର୍ଣ୍ଣର ଲାଇସେନ୍ସ,, ଡ୍ରାଇଭିଂ ଲାଇସେନ୍ସ,, ଫିଟ୍‌ନେସ୍‌ ପ୍ରମାଣପତ୍ରର ନବୀକରଣ ଇତ୍ୟାଦି ପାଇଁ ପରିବହନ ବିଭାଗ ଅନ୍‌ଲାଇନ୍‌ ସେବା ଆରମ୍ଭ କରିଛି ।

ଏହି ପ୍ରକ୍ରିୟାକୁ ବ୍ୟାପକ କରିବା ସହ ବିଭିନ୍ନ ସୁବିଧା କେନ୍ଦ୍ର, ଅତିରିକ୍ତ କାଉଣ୍ଟର ତଥା ଶିବିରମାନ ଆୟୋଜନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ବିଶେଷ କରି ଆର୍‌ଟିଓ ଅଫିସ୍‌ ତଥା ଅନ୍ୟସ୍ଥାନଗୁଡ଼ିକୁ ଦଲାଲମାନଙ୍କ କବଳରୁ ମୁକ୍ତ କରିବା ପାଇଁ ବିଶେଷ ଦୃଷ୍ଟି ଦିଆଯାଇଛି ।

ଜିଲ୍ଲାସ୍ତରରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଗଠନ ଓ ବୈଠକ ଆହ୍ବାନ ସାଙ୍ଗକୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସଚେତନତା ଶିବିର ଆୟୋଜନ କରାଯାଉଛି। ଏହାସହ ବିଭିନ୍ନ ଗୋଷ୍ଠୀକେନ୍ଦ୍ର ତଥା ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡ଼ିକରେ ଲର୍ଣ୍ଣର ଲାଇସେନ୍ସ ଦେବା ପାଇଁ କାଉଣ୍ଟର ଖୋଲିବା ପାଇଁ ପରାମର୍ଶ ଦିଆଯାଇଛି ।

ନବୀକରଣ, ନୂତନ ପଞ୍ଜୀକରଣ ଏବଂ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ପାଇଁ ଦର ତାଲିକା ପ୍ରଦର୍ଶନ, ଦଲାଲଙ୍କ କବଳରୁ ମୁକ୍ତ ହେବା ଲକ୍ଷ୍ୟରେ ହେଲପ୍‌ ଲାଇନ୍‌ ପ୍ରତିଷ୍ଠା, ସର୍ବସାଧାରଣ ସ୍ଥାନରେ ସୂଚନା ଫଳକ ସ୍ଥାପନ ଇତ୍ୟାଦି ଏସବୁର ଅନ୍ତର୍ଭୁକ୍ତ । ଏଥି ପାଇଁ ‘କ’, ‘ଖ’ ଓ ‘ଗ’ ଶ୍ରେଣୀଭୁକ୍ତ ପରିବହନ ଅଞ୍ଚଳଗୁଡ଼ିକୁ ଯଥାକ୍ରମେ ୧୦ ଲକ୍ଷ, ୭.୫ ଲକ୍ଷ ଓ ୫ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ସଂପୃକ୍ତ ଅଞ୍ଚଳର ପରବହନ ଅଧିକାରୀମାନଙ୍କୁ ଏହି ଟଙ୍କା ଓଡ଼ିଶା ରାଜ୍ୟ ସଡ଼କ ସୁରକ୍ଷା ସମିତି ପାଣ୍ଠିରୁ ପ୍ରଦାନ କରାଯିବ । ବାଲେଶ୍ବର, ଭୁବନେଶ୍ବର-୧ ଓ ୨, କଟକ, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲା, ବରଗଡ଼, ଭଦ୍ରକକୁ ‘କ’ ଶ୍ରେଣୀଭୁକ୍ତ କରାଯାଇଛି।

ସେହିପରି ଅନୁଗୋଳ, ବଲାଙ୍ଗୀର, ଚଣ୍ଡିଖୋଲ, ଢେଙ୍କାନାଳ, ଝାରସୁଗୁଡ଼ା, ଯାଜପୁର, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ନୟାଗଡ଼, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼କୁ ‘ଖ’ ଶ୍ରେଣୀଭୁକ୍ତ କରାଯାଇଛି । ଏହାପରେ ଭଞ୍ଜନଗର, ବୌଦ୍ଧ, ଦେବଗଡ଼, ଗଜପତି, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ଫୁଲବାଣୀ, ସୋନପୁର ଓ ତାଳଚେରକୁ ‘ଗ’ ଶ୍ରେଣୀଭୁକ୍ତ କରାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details