ଭୁବନେଶ୍ବର: ରାଜଧାନୀରେ ଲୋକଙ୍କୁ ନିୟନ୍ତ୍ରଣ ପାଇଁ ନୂଆ ପଦକ୍ଷେପ । ଜୁନ ୧ ଯାଏଁ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ନୂଆ ରଣନୀତି । ଏଥର ଅମାନିଆଙ୍କ ଦୋକାନ ବଜାର ଓ ବିବାହ ଉପରେ କଡାନଜର । ସଂକ୍ରମଣ ରୋକିବା ଦୃଷ୍ଟିରେ କେତୋଟି ପଦକ୍ଷେପକୁ ଗୁରୁତ୍ବ ଦିଆଯାଇଛି । ଯେପରିକି ବିବାହ ପାଇଁ ଆସୁଥିବା ଅତିଥିଙ୍କୁ ମେସେଜ ଜରିଆରେ ମିଳିବ ଇ-ପାସ ବ୍ୟବସ୍ଥା । ସେହି ମେସେଜ ଦେଖାଇ ବିବାହ ସ୍ଥଳକୁ ଯାଇ ପାରିବେ ଅତିଥି । ସେହିପରି ବିବାହ ଉତ୍ସବରେ କଡାନଜର ରଖାଯାଇଛି ।୨୫ରୁ ଅଧିକା ଲୋକଙ୍କୁ ଅନୁମତି ନାହିଁ । ସେହିପରି ଶୁଦ୍ଧିକ୍ରିୟା ପାଇଁ ମଧ୍ୟ ସମାନ ବ୍ୟବସ୍ଥା ୨୦ରୁ ଅଧିକ ଲୋକକୁ ଅନୁମତି ନାହିଁ ।
ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରି ପରିଚୟ ପତ୍ର ସହ ଅଥରାଇଜେସନ ଲେଟର ବାଧ୍ୟତାମୂଳକ ଦେଖାଇବେ । ଯଦି କେହି ବାହାନାରେ ବୁଲୁଥିବେ ତାଙ୍କ ଗାଡି ନମ୍ବର ନୋଟ କରାଯାଉଛି । ସମ୍ପୃକ୍ତ ଅଫିସ ସହ ଯୋଗାଯୋଗ କରାଯିବ । ଗହଳି ପାଇଁ ଦୋକାନ ବଜାର ଉପରେ ଗୁରୁତ୍ବ ଦିଆଯିବ । ମାର୍କେଟିଂ ପାଇଁ ବା ପରିବା କିଣିବାକୁ ଗାଡି ଆଣିଲେ କାର୍ଯାନୁଷ୍ଠାନ ହେବ । ଅନୁମତି ଥିବା ବ୍ୟକ୍ତି ସହ ଆଉ ଜଣେ ଆସିଲେ ଫାଇନ ଦେବେ । ଅର୍ଥାତ ପତ୍ନୀ ଚାକିରି କରିଥିଲେ ତାଙ୍କୁ ଯିବାପାଇଁ ଅନୁମତି ଥିଲେ ମଧ୍ୟ ତାଙ୍କ ସହ ତାଙ୍କୁ ଛାଡିବା ବାହାନାରେ ସ୍ବାମୀ ଆସିପାରିବେ ନାହିଁ ।
କୌଣସି ଜରୁରୀ କାମ ପାଇଁ ଡାଏଲ ୧୦୦ ଜରିଆରେ ଇ-ପାସର ବ୍ୟବସ୍ଥା ନାହିଁ । ଏଥିପାଇଁ ଚେକପୋଷ୍ଟରେ କେବଳ ଉପଯୁକ୍ତ କାରଣ ଦେଖାଇ ଯାଇପାରିଵେ । ଅର୍ଥାତ ଔଷଧ ପାଇଁ ଯାଉଥିଲେ ପ୍ରେସ୍କିପସନ ଦେଖାଇ ଯାଇପାରିଵେ । ଏଥିପାଇଁ ପୂର୍ବପରି ୫୩ଟି ଚେକପୋଷ୍ଟ ସହ ୨୦୦ ଅଫିସର ନିୟୋଜିତ ରହିବେ । ୧୫୦ଟ୍ରାଫିକ କର୍ମଚାରୀ ପୋଲିସ ସହ ନିୟୋଜିତ ରହିଛନ୍ତି । ପିସିଆର ପାଟ୍ରୋଲିଂ କଡାକଡି ହେବ । ଥାନା ସ୍ତରର ତଦନ୍ତ ପାଇଁ ଅଫିସର ମାନେ ରାସ୍ତା ଉପରେ ୪ ଘଣ୍ଟା ଡ଼୍ୟୁଟି କରିବା ପରେ ଆଉ ବାକି ସମୟ ଥାନାର ଅପରାଧ ନିୟନ୍ତ୍ରଣର ତଦନ୍ତ କରିବେ ।