ଭୁବନେଶ୍ବର: ଭୂମିହୀନ ଚାଷୀମାନଙ୍କୁ କୃଷି ଋଣ ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ବଳରାମ ପ୍ରସ୍ତୁତ କରାଯାଇଛି । ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିଷ୍ପତ୍ତି ହୋଇଛି । ଜଏଣ୍ଟ୍ ଲିଆବିଲିଟି ଗ୍ରୁପ୍ (ଜେ.ଏଲ୍.ଜି) ମାଧ୍ୟମରେ ଭୂମିହୀନ ଚାଷୀମାନଙ୍କୁ ଋଣ ଦେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ସ୍ତରରେ ଇମେଜ ଏବଂ ଜିଲ୍ଲାସ୍ତରରେ ଆତ୍ମା ସଂସ୍ଥା ଏହି କାର୍ଯ୍ୟକ୍ରମର ସଂଯୋଜନା କରିବେ। ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହର ଅଞ୍ଚଳ ମାନଙ୍କରେ ବିଭିନ୍ନ ବ୍ୟାଙ୍କ୍ ଏବଂ ପ୍ରାଥମିକ କୃଷି ସମବାୟ ସଂସ୍ଥାର ପ୍ରାୟ ୭୦୦୦ ଶାଖା ଥିବାର ଜଣାପଡିଛି । ପ୍ରତି ବ୍ୟାଙ୍କ୍ ବ୍ରାଞ୍ଚକୁ ଚଳିତ ବର୍ଷ ଅତି କମ୍ ରେ ୧୦ଟି ଜେ.ଏଲ୍.ଜି ଙ୍କୁ ଋଣ ଦେବା ପାଇଁ କୁହାଯାଇଛି । ଏହା ଫଳରେ ପ୍ରାୟ ୭୦,୦୦୦ ଗ୍ରୁପ୍ ଚଳିତ ବର୍ଷ କୃଷି ଋଣ ପାଇ ପାରିବେ ।
ଗୋଟିଏ ଗ୍ରୁପ୍ ରେ ୫ ଜଣ ଚାଷୀ ରହିବେ । ବର୍ଷକୁ ୩.୫ ଲକ୍ଷ ଚାଷୀ ହିସାବରେ ୨ ବର୍ଷ ମଧ୍ୟରେ ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତି ଗ୍ରୁପ୍ ୧.୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ । କୃଷକ ସାଥୀ ଏବଂ ଗ୍ରାମ କୃଷି କର୍ମଚାରୀମାନେ ଗ୍ରୁପ୍ ଗଠନ କରି ସେମାନଙ୍କୁ ବ୍ୟାଙ୍କ୍ ମାନଙ୍କ ସହ ସଂଯୋଜିତ କରିବେ । ଋଣ ଯୋଗାଣ ଏବଂ ଋଣ ପୈଠ ଆଦିରେ ସହାୟତା କରିବେ । ଏହି କାର୍ଯ୍ୟ ପାଇଁ ସେମାନଙ୍କୁ ଜିଳ୍ଲାସ୍ତରୀୟ ଆତ୍ମା ସଂସ୍ଥା ମାଧ୍ୟମରେ ପ୍ରୋତ୍ସାହନ ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା ।