ଭୁବନେଶ୍ବର: ସରକାରୀ କାର୍ଯ୍ୟାଳୟ ଲାଗି ଜାରି ହୋଇଛି ନୂଆ ଗାଇଡ଼ଲାଇନ । ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଗୁଡ଼ିକ ଜୁଲାଇ ୧୫ ପର୍ଯ୍ୟନ୍ତ ଅତିକମରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଉପସଚିବ ଓ ତଦୁର୍ଦ୍ଧ୍ବ ପାହ୍ୟାର ଅଫିସରମାନେ ପ୍ରତିଦିନ ଅଫିସ ଆସିବେ । ଯେଉଁ କର୍ମଚାରୀମାନେ ଦୁଇ ଡୋଜ୍ କୋଭିଡ୍ ଟିକା ନେଇଥିବେ ସେମାନେ ଅଫିସ୍ ଆସିବା ବାଧ୍ୟତାମୂଳକ କରାଯାଇଛି । ଗୁରୁବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ଗୁରୁବାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜୁଲାଇ ୧ରୁ ୧୫ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ କିଭଳି ପରିଚାଳିତ ହେବ ସେନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାଙ୍କୁ ଅଫିସ୍ ଆସିବା ଓ ୱାର୍କ ଫ୍ରମ ହୋମରୁ ବାଦ୍ ଦିଆଯାଇଛି । ତେବେ କଟକ ଓ ଭୁବନେଶ୍ବରରେ ଥିବା ବିଭାଗୀୟ ଅଫିସ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ କେଉଁ କର୍ମଚାରୀ ଅଫିସ୍ ଆସିବେ ତାହା ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି । ସମ୍ପୂର୍ଣ୍ଣ ଟୀକାକରଣ ହୋଇନଥିବା କର୍ମଚାରୀ ଓ ରୋଷ୍ଟର ଆଧାରରେ ଅଫିସ୍ ଆସିବା ନିଷ୍ପତ୍ତି ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟମାନେ ନେବେ । ତେବେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଏସଆରସି ଓ ଓସଡମା ଅଫିସ, ପୋଲିସ, ଅଗ୍ନିଶମ, ସ୍ବାସ୍ଥ୍ୟସେବା, ପୌର ସେବା ଆଦି କାର୍ଯ୍ୟାଳୟଗୁଡ଼ିକ ସମ୍ପୂର୍ଣ୍ଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ।