ଓଡିଶା

odisha

ETV Bharat / city

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ଚର୍ଚ୍ଚିତ ଚେହେରା ନିରାଶ - ଚର୍ଚ୍ଚିତ ଚେହେରା ନିରାଶ

ଓଡିଶାର ଖାଲି ପଡିଥିବା 4ଟି ରାଜ୍ୟସଭା ଆସନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥିରେ ଆଶାୟୀମାନଙ୍କୁ ଚକିତ କରି ନୂତନ ଚେହେରାକୁ ପ୍ରାଧାନ୍ୟ ଦିଆଯାଇଛି । ଅଧିକ ପଢନ୍ତୁ...

naveen-pattanaik-declares-candidates-for-4-seats-of-rajya-sabha
ଘୋଷଣା ହେଲା ରାଜ୍ୟସଭା ପ୍ରାର୍ଥୀ ତାଲିକା, ଚର୍ଚ୍ଚିତ ଚେହେରା ନିରାଶ

By

Published : Mar 7, 2020, 11:18 PM IST

Updated : Mar 8, 2020, 12:50 AM IST

ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନା ଓ ଆକଳନକୁ ପୁଣିଥରେ ଭୁଲ ପ୍ରମାଣିତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟସଭା ପାଇଁ ଘୋଷଣା କରିଥିବା ୪ଜଣ ପ୍ରାର୍ଥୀଙ୍କ ଭିତରୁ କେବଳ ସୁଜିତ କୁମାରଙ୍କ ନାମ ହିଁ ଚର୍ଚ୍ଚାରେ ରହିଥିବା ବେଳେ ଅନ୍ୟ ତିନି ଜଣଙ୍କ ନାମ ଚକିତ କଲାଭଳି ଘୋଷଣା କରିଛନ୍ତି ନବୀନ । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ରାଜ୍ୟ ରାଜନୀତିରେ ଅଚିହ୍ନା ଥିବା ମମତା ମହାନ୍ତଙ୍କୁ ପ୍ରାର୍ଥୀ କରି ବଡ ସରପ୍ରାଇଜ ଦେଲେ ନବୀନ ।

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂଙ୍କ ସମେତ ମୁନ୍ନା ଖାଁ, ସୁଜିତ କୁମାର ଓ ମୟୂରଭଞ୍ଜର ମମତା ମହାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟସଭାକୁ ପଢାଇବାକୁ ସ୍ଥିର କରିଛନ୍ତି । ରାଜ୍ୟସଭା ଆସନରେ ସୁବାସଙ୍କୁ ପ୍ରାର୍ଥୀ କରାଯିବାପରେ ତାଙ୍କ ଜାଗାରେ ବରିଷ୍ଠ ନେତା ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

ଘୋଷଣା ହେଲା ରାଜ୍ୟସଭା ପ୍ରାର୍ଥୀ ତାଲିକା, ଚର୍ଚ୍ଚିତ ଚେହେରା ନିରାଶ

ଦୀର୍ଘବର୍ଷ ଧରି ଦଳ ପାଇଁ କାର୍ଯ୍ୟ କରୁଥିବା ମୁନ୍ନା ଖାଁଙ୍କ ନାଁ ସବୁଥର ରାଜ୍ୟସଭା ପାଇଁ ଚର୍ଚ୍ଚା ହେଉଥିଲେ ମଧ୍ୟ ଚଳିତଥର କିନ୍ତୁ ଚର୍ଚ୍ଚାରେ ନ ଥିଲେ । ତେବେ ବିଳମ୍ବରେ ହେଲେ ମଧ୍ୟ ତାଙ୍କ ଆନୁଗତ୍ୟ ପରିଶ୍ରମର ଫଳ ଦେଇଛନ୍ତି ନବୀନ । ଏଥିସହ ରାଜ୍ୟସଭାରେ ଓଡ଼ିଶାରୁ ସଂଖ୍ୟାଲଘୁ ପ୍ରତିନିଧିତ୍ବ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସଂଖ୍ୟାଲଘୁ ଓ ପଛୁଆ ବର୍ଗର ଉପଦେଷ୍ଟା ଭାବେ ମୁନ୍ନା ଖାଁ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ତେବେ ରାଜ୍ୟସଭା ଟିକେଟ ମିଳିବା ପରେ ମୁନ୍ନା ଖାଁ ଭାବବହ୍ଵଳ ହେବ ସହ ଖୁସି ବି ଜାହିର କରିଛନ୍ତି ।

ସେହିପରି ନବୀନ ଘୋଷଣା କରିଥିବା ତୃତୀୟ ପ୍ରାର୍ଥୀ ସୁଜିତ କୁମାରଙ୍କ ନାଁ ପୂର୍ବରୁ ବେଶ ଚର୍ଚ୍ଚାରେ ରହିଥିଲା । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଏମବିଏ ଏବଂ ହାଭାର୍ଡ ବିଶ୍ବବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ଡିଗ୍ରୀ ହାସଲ କରିଥିବା ସୁଜିତ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ବିଜେଡ଼ି ସଂଗଠନ ପାଇଁ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ସ୍ପେଶାଲ ଡେଭେଲପମେଣ୍ଟ କାଉନସିଲର ଉପଦେଷ୍ଟା ଭାବେ ସରକାର ତାଙ୍କୁ ନିଯୁକ୍ତି ଦେଇଥିଲେ ।

ସବୁଠାରୁ ବଡ଼ ସରପ୍ରାଇଜ ହେଉଛନ୍ତି ମମତା ମହାନ୍ତ । ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ମହିଳା ସଂଗଠନର ଜଣେ ସାଧାରଣ କର୍ମୀ ହେଉଛନ୍ତି ମମତା । ସେ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ସହ ଜଡ଼ିତ ରହିଛନ୍ତି । ସରୋଜିନୀ ହେମ୍ବ୍ରମଙ୍କ ସ୍ଥାନରେ ତାଙ୍କୁ ପ୍ରାର୍ଥୀ କରି ନବୀନ ଜିଲ୍ଲା ଓ ମହିଳା ସମୀକରଣକୁ ସମତୁଲ ରଖିଛନ୍ତି ।

ରାଜ୍ୟସଭା ପାଇଁ ବିଜେଡ଼ିର ଅନେକ ବରିଷ୍ଠ ଓ ପରାଜିତ ନେତା ଆଶା ବାନ୍ଧିଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି । ମହେଶ୍ବର ମହାନ୍ତି, ପୁଷ୍ପେନ୍ଦ୍ର ସିଂହଦେଓ, ରବିନ୍ଦ୍ର ଜେନା, କଳିକେଶ ସିଂହଦେଓ, ଅରୂପ ପଟ୍ଟନାୟକ, ନଳିନୀ ପ୍ରଧାନଙ୍କ ଭଳି ଗତ ନିର୍ବାଚନରେ ପରାଜିତ ନେତା ଓ ଟିକେଟ ପାଇନଥିବା ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅନଙ୍ଗଉଦୟ ସିଂହଦେଓ ବି ନିରାଶ ହୋଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Mar 8, 2020, 12:50 AM IST

ABOUT THE AUTHOR

...view details