ଭୁବନେଶ୍ବର: ଓଡିଶା କ୍ରୀଡା ପାଇଁ ଆଉ ଏକ ଶୁଭ ଖବର । ଲଗାତାର ଦ୍ବିତୀୟ ବର୍ଷ ପାଇଁ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ସିନିୟର ଭଲିବଲ ଚାମ୍ପିୟନସିପ । ଯାହାକି ଆସନ୍ତା 5 ତାରିଖରୁ ଆରମ୍ଭ ହୋଇ 11 ତାରିଖରେ ଶେଷ ହେବ ବୋଲି ସୂଚନା ମିଳିଛି ।
କିଟରେ ଅନୁଷ୍ଠିତ ହେବ ଜାତୀୟ ଭଲିବଲ ଚାମ୍ପିୟାନସିପ ଓଡିଶା ଭଲିବଲ ଆସୋସିଏସନର ସମ୍ପାଦକ ଡ଼ଃ ଗଗନେନ୍ଦୁ ଦାଶଙ୍କ ଠାରୁ ମିଳିଥିବା ସୂଚନା ମୁତବାକ, ଗତ ବର୍ଷ ମଧ୍ୟ ଏହି ପ୍ରତିଯୋଗିତା ଓଡ଼ିଶାର କିଟ କ୍ୟାମ୍ପସରେ ଆୟୋଜିତ ହୋଇଥିଲା । ତେବେ ଚଳିତ ବର୍ଷ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ ମହାସଙ୍ଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତେଣୁ ତାଙ୍କ ପ୍ରଚେଷ୍ଟାରେ ପୁଣି ଥରେ ଓଡ଼ିଶାରେ ଭଲିବଲର ମହାକୁମ୍ଭ ଆରମ୍ଭ ହେବାକୁ ଯାଉଥିବା ସେ କହିଛନ୍ତି ।
ଦେଶର ବିଭିନ୍ନ ପ୍ରାନ୍ତରୁ 32ଟି ପୁରୁଷ ଓ 28ଟି ସିନିୟର ମହିଳା ଟିମ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହାସହ ପାଖାପାଖି 150ରୁ ଉର୍ଦ୍ଧ୍ବ ମ୍ୟାଚ ଅନୁଷ୍ଠିତ ହେବ । ତେବେ ଏଥର ପ୍ରଥମ ଥର ପାଇଁ ଉଭୟ ବର୍ଗରେ ଲଦାଖ ଟିମ ଅଂଶଗ୍ରହଣ କରିଥିବା ଜଣାପଡିଛି । ସେହିପରି ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ଚାମ୍ପିୟନ ଓ ରନର୍ସ ଅପ ଟିମକୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଗଗନେନ୍ଦୁ ଦାଶ କହିଛନ୍ତି । ଗତଥର ପ୍ରତିଯୋଗିତାରେ ଓଡିଶା ଏତେଟା ସଫଳତା ଲାଭ କରି ପାରିନଥିବାବେଳେ ଚଳିତ ଥର ରାଜ୍ୟର କ୍ରୀଡାବିତମାନ ଉନ୍ନତ କ୍ରୀଡା ପ୍ରଦର୍ଶନ କରିବା ନେଇ ଆଶାପୋଷଣ କରିବା ସହ ଏଥର ଭଲ ପ୍ରତିଯୋଗିତା ହେବ ବୋଲି ସେ କହିଛନ୍ତି ।
କରୋନା କଟକଣା ମଧ୍ୟରେ ଏହି ପ୍ରତିଯୋଗିତା ଆୟୋଜନ ହେଉଥିବାରୁ ସେଥିପ୍ରତି ସଜାଗ ଦୃଷ୍ଟି ଦିଆଯିବା ସହ ସରକାରଙ୍କ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରାଯିବ । ସୂଚନାଥାଉ କି ଗତ ଚମ୍ପିୟାନସିପରେ କେରଳ ମହିଳା ବିଭାଗ ଓ ତାମିଲନାଡୁ ପୁରୁଷ ବିଭାଗ ଚାମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ