ଭୁବନେଶ୍ବର:ଭାରତ ସରକାରଙ୍କର ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା କାର୍ଯ୍ୟକ୍ଷମ ହେଉଥିବା ସମସ୍ତ ଜାତୀୟ ରାଜପଥର ଜମି ଅଧିଗ୍ରହଣ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଭାରତ ସରକାରଙ୍କର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ, ପୂର୍ତ୍ତ ବିଭାଗ, ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ କ୍ଷେତ୍ରାଧିକାରୀମାନେ ଯୋଗ ଦେଇଛନ୍ତି ।
ଗତ ୩ ମାସ ମଧ୍ୟରେ ବିଭିନ୍ନ ଜାତୀୟ ରାଜପଥ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବାରୁ କେନ୍ଦ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ରାଜସ୍ୱ ବିଭାଗର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବୈଠକରେ ସମସ୍ତ ନିର୍ମାଣାଧୀନ ଜାତୀୟ ରାଜପଥ ପ୍ରକଳ୍ପ, ସମସ୍ତ ଅନୁମୋଦିତ ପ୍ରକଳ୍ପ ଓ ଅନ୍ୟାନ୍ୟ ଜାତୀୟ ରାଜପଥ ପ୍ରକଳ୍ପର ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହା ବ୍ୟତୀତ ଗତ ତିନି ମାସ ମଧ୍ୟରେ ବହୁ ଦାଖଲ ଖାରଜ ମାମଲା ହୋଇ ରେକର୍ଡ ସଂଶୋଧନ କରାଯାଇ ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର କରାଯାଇଛି ।
ସେହିପରି ଜାତୀୟ ରାଜପଥ ୨୬ରେ ନବରଙ୍ଗପୁରରୁ ବୋରିଗୁମ୍ମା ଓ ବରଗଡରୁ ବରପାଲ୍ଲୀ, ଜାତୀୟ ରାଜପଥ ୫୯ରେ ମୁଣ୍ଡମରାଇରୁ ରତନପୁର, ବ୍ରହ୍ମପୁର ବାଇପାସ, ଜାତୀୟ ରାଜପଥ ୪୯ରେ ଝାସରୁଗୁଡ଼ାରୁ ଭୋଜପୁର, ଜାତୀୟ ରାଜପଥ ୧୫୭ରେ ଭଂଜନଗରରୁ ଆସ୍କା, ଜାତୀୟ ରାଜପଥ ୫୭ରେ ନୟାଗଡରୁ ଖୋର୍ଦ୍ଧା ଓ ସୋନପୁରରୁ ମାଧପୁର, ଜାତୀୟ ରାଜପଥ ୨୨୦ରେ ତିରିଙ୍ଗରୁ ରାଇରଙ୍ଗପୁର, ଜାତୀୟ ରାଜପଥ ମାଲକାନଗିରିରୁ ମୋଟୁ ମଧ୍ୟରେ ସମସ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଜାତୀୟ ରାଜପଥ କାର୍ଯ୍ୟ ଆଗେଇ ଚାଲିଛି ।