ଭୁବନେଶ୍ବର: ମଙ୍ଗଳବାର ରାଜଧାନୀରେ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଯାଇଛି ଜାତୀୟ ଉପଭୋକ୍ତା ଦିବସ। ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ଓ ଏହାର ପରିକଳ୍ପନା ନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଛି।
ରାଜ୍ୟରେ କାର୍ଯ୍ୟ କରୁଥିବା ରାଜ୍ୟସ୍ତରୀୟ ଉପଭୋକ୍ତା ବିବାଦ ପ୍ରତିକାର ଅୟୋଗ 31ଟି ଜିଲ୍ଲା କାର୍ଯ୍ୟକାରୀ ହେଉଛି। ଉପଭୋକ୍ତା ଆଇନକୁ ଅଧିକ କ୍ରିୟାଶୀଳ ଓ ଉପଭୋକ୍ତାଙ୍କ ଅଧିକାରକୁ ସୁଦୃଢ କରିବା ପାଇଁ ଭାରତ ସରକାରଙ୍କ ଦ୍ବାରା ଉପଭୋକ୍ତା ସୁରକ୍ଷା ଆଇନ 2019 ପ୍ରବର୍ତ୍ତନ କରାଯାଇଛି। ଏହି ନୂତନ ଆଇନକୁ ଭିତ୍ତିକରି ରାଜ୍ୟର ଉପଭୋକ୍ତାଙ୍କୁ ସମୟଚିତ ନ୍ୟାୟ ପ୍ରଦାନ କରାଯିବାକୁ ବିଭିନ୍ନ ସ୍ତରରେ ଆଲୋଚନା ଜାରି ରହିଛି।
ସେପଟେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କର ରାଜ୍ୟରେ ପିଆଜ ଓ ଆଳୁର ଅହେତୁକ ମୁଲ୍ୟ ବୃଦ୍ଧିକୁ ନେଇ ବେତଣ୍ଡା ଯୁକ୍ତି ଚାଲିଛି। ଭୁବନେଶ୍ବରରେ ଏବେ ଇଜିପ୍ଟ ପିଆଜ ଆସିଲା ପରେ ବି ବର୍ଦ୍ଧିତ ପିଆଜ ମୁଲ୍ୟ ହ୍ରାସ ପାଉନଥିବାରୁ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ସମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏବେ ରାଜ୍ୟରେ ଅସାଧୁ ବ୍ୟବସାୟୀଙ୍କ ଉପରେ ରୋକ ଲଗାଯାଇଛି, କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଯେଉଁମାନେ ବେଆଇନ ଭାବେ ସାମଗ୍ରୀ ମହଜୁଦ ରଖୁଛନ୍ତି ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଜାତୀୟ ଉପଭୋକ୍ତା ଦିବସ ଅବସରରେ ନୂଆ ଆଇନକୁ କିଭଳି ଭାବରେ ପାଳନ କରାଯିବ ସେ ନେଇ ଖାଉଟି ସଚେତନ ହେବାର ଆବଶ୍ୟକତା ରହିଛି।
ଜାତୀୟ ଉପଭୋକ୍ତା ଦିବସ ପାଳିତ ଉପଭୋକ୍ତା ଆନ୍ଦୋଳନ ସହ ଜଡିତ ସମସ୍ତଙ୍କୁ ଆହ୍ବାନ ଦିଆଯାଇଛି। ଆଇନରେ ସଂଶୋଧନ ଆଣି ରାଜ୍ୟରେ ଯେଉଁଭଳି ଘାତକ ଔଷଧ ବିକ୍ରି କରାଯାଉଛି ତା ଉପରେ ରୋକ ଲଗାଇବା ନେଇ ଆଲୋଚନା ହୋଇଛି। ପୂର୍ବ ଆଇନକୁ ଅଧିକ କ୍ରିୟାଶୀଳ କରାଯିବ ସେ ନେଇ ବିଭିନ୍ନ ସ୍ତରରେ ଆଲୋଚନା ଏବଂ କର୍ମଶାଳା ଆୟୋଜନ କରାଯାଇ ରାଜ୍ୟ ସରକାର ଖୁବଶୀଘ୍ର ନିୟମାବଳୀ ପ୍ରଣୟନ କରିବେ ବୋଲି କହିଛନ୍ତି ମନ୍ତ୍ରୀ। ଜାତୀୟ ଉପଭୋକ୍ତା ଦିବସରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ଉପଭୋକ୍ତା ବିଶେଷଜ୍ଞ ଡ଼ ବିଜେନ କୁମାର ମିଶ୍ର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ