ଭୁବନେଶ୍ବର: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଦେଶପ୍ରେମକୁ ନେଇ ଆଜି(ଶୁକ୍ରବାର) ପୁଣି ଥରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି । ସ୍ବାଧୀନତାର 52 ବର୍ଷ ପର୍ଯ୍ୟନ୍ତ ଆରଏସଏସର ନାଗପୁର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଉଡୁନଥିଲା । ଏହା କଣ ଦେଶ ପ୍ରତି ଅସମ୍ମାନ ନୁହେଁ କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏଥିସହିତ ଆରଏସଏସର ଅନ୍ୟତମ ମୁଖ୍ୟ ପୁରୋଧା ମାଧବ ସଦାଶିବ ଗୋଲୱାଲକରଙ୍କ ଦ୍ବାରା ଲିକ୍ଷିତ ‘ଦ ବଞ୍ଚ ଅଫ ଥଟ’ ପୁସ୍ତକରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଯେଉଁ ଶବ୍ଦ ବ୍ୟବହାର କରାଯାଇଛି, ତାହାକୁ ଗୃହରେ ପାଠ କରିବା ମଧ୍ୟ ଜାତିର ପିତାଙ୍କ ପ୍ରତି ଅସମ୍ମାନ ହେବ । ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ପାଳନ ଅବସରରେ ଆରଏସଏସର ଏଭଳି କାର୍ଯ୍ୟକୁ ନିନ୍ଦା କରାଯିବା ଉଚିତ ବୋଲି ସେ କହିଛନ୍ତି ।
ଆରଏସଏସ ଦେଶପ୍ରେମକୁ ନେଇ ପ୍ରଶ୍ନ ଉଠାଇଲେ ନରସିଂହ, ଜବାବ ଦେଲେ ପ୍ରଦୀପ୍ତ - ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ
ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)ର ଦେଶପ୍ରେମକୁ ନେଇ ଆଜି(ଶୁକ୍ରବାର) ପୁଣି ଥରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି । ସେପଟେ ଏହାର ଜବାବ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କଂଗ୍ରେସ ନେତାମାନେ ସମ୍ବିଧାନରେ ଲିଖିତ ‘ବନ୍ଦେ ମାତରମ’ କହୁନାହାଁନ୍ତି । ଏମାନଙ୍କର ଦେଶରେ ରହିବାର ଅଧିକାର ନାହିଁ ।
![ଆରଏସଏସ ଦେଶପ୍ରେମକୁ ନେଇ ପ୍ରଶ୍ନ ଉଠାଇଲେ ନରସିଂହ, ଜବାବ ଦେଲେ ପ୍ରଦୀପ୍ତ](https://etvbharatimages.akamaized.net/etvbharat/prod-images/768-512-4021840-120-4021840-1564754503925.jpg)
ନରସିଂହଙ୍କ ଏଭଳି ଯୁକ୍ତିର ଜବାବ ଦେଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେ କହିଥିଲେ ଯେ, କାହା ଘର ଉପରେ ପତାକା ଉଡିବା କିମ୍ବା ନ ଉଡିବାକୁ ଦେଶ ପ୍ରେମ ସହ ତୁଳନା କରାଯିବା ଉଚିତ ନୁହେଁ । ମହାତ୍ମା ଗାନ୍ଧୀ ଓ ଗୋଲୱାଲକର ଏକାଠି ଗୋଟିଏ ଜେଲରେ ରହୁଥିଲେ । ଗାନ୍ଧିଜୀ ନାଗପୁର ଆରଏସଏସ ମୁଖ୍ୟାଳୟକୁ ମଧ୍ୟ ଯାଇଛନ୍ତି । ତେବେ ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ଏକ ପ୍ରସଙ୍ଗରେ କେନ୍ଦ୍ର ସରକାର ଗୋଟିଏ ଦେଶ-ଗୋଟିଏ ଧର୍ମ କରିବାକୁ ଚାହୁଁଛନ୍ତି ବୋଲି ବକ୍ତବ୍ୟ ରଖିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ନେତାମାନେ ସମ୍ବିଧାନରେ ଲିଖିତ ‘ବନ୍ଦେ ମାତରମ’ ବୋଲି କହିବେ ନାହିଁ । ଯେଉଁମାନେ ବନ୍ଦେ ମାତରମ ବୋଲି କହିବେ ନାହିଁ, ସେମାନେ ଏ ଦେଶରେ ରହିବାର ଅଧିକାର ନାହିଁ ବୋଲି ପ୍ରଦୀପ୍ତ କହିଛନ୍ତି ।
ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ