ଭୁବନେଶ୍ବର:ଗଣେଶ ପୂଜାରେ ରାଜଧାନୀରେ ଗଡ଼ିଲା ମୁଣ୍ଡ (murder in bhubaneswar ) । ରାସ୍ତା ଉପରେ ବୁଲିଲା ଖଣ୍ଡା । ଭୁବନେଶ୍ବର ସ୍ଥିତ ଡିସିପି ଅଫିସ ସାମ୍ନାରେ ଚା' ଦୋକାନୀଙ୍କୁ ନିର୍ମମ ହତ୍ୟା ହୋଇଛି । ମୃତ ଚା ଦୋକାନୀ ଜଣକ ହେଲେ ସୌମ୍ୟରଞ୍ଜନ କୁଣ୍ଡୁ । ସରକାରୀ ଜାଗା ଉପରେ ବ୍ୟବସାୟକୁ ନେଇ ମାରପିଟ ପରେ ହତ୍ୟା ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି । ଦୁଇ ଅଭିଯୁକ୍ତ ହେଲେ କାବୁ ଦାସ ଏବଂ ପାଉଣି ଦାସ ।
ସୂଚନା ମୁତାବକ, ଦୁଇ ଅଭିଯୁକ୍ତ ଅଟୋ ଚାଳକ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଚା' ଦୋକାନୀ ଜଣକ କୌଣସି କାରଣରୁ ଏକ ଜାଲି ଚଟୁରେ ଅଭିଯୁକ୍ତଙ୍କୁ ମାଡ଼ ମାରିଥିଲେ । ଏଥିସହ ଏକ ଅଣ୍ଡା ଟ୍ରେ ଫୋପାଡ଼ିବାକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପୂର୍ବ ରାଗ ଶୁଝାଇବାକୁ ଯାଇ ଡିସିପି ଅଫିସ ସାମ୍ନାରେ ଚା' ଦୋକାନୀଙ୍କୁ ରାସ୍ତା ଉପରେ ଗୋଡାଇ ଗୋଡାଇ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଏନେଇ ଡିସିପି କହିଛନ୍ତି, "ମଙ୍ଗଳବାର ରାତି ପ୍ରାୟ ୨ଟା ବେଳେ ଦୁଇ ଅଭିଯୁକ୍ତ ମଦ୍ୟପାନ କରୁଥିବା ସମୟରେ ଦୋକାନୀ ସୌମ୍ୟରଞ୍ଜନ କୁଣ୍ଡୁ ପାଣି ଆଣିବାକୁ ଯାଇଥିଲେ । ଏତିକି ବେଳେ ସେମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଦୋକାନୀ ସୌମ୍ୟରଞ୍ଜନ କୁଣ୍ଡୁଙ୍କ ମୃତ୍ୟୁ ଘଟିଛି ।" ପୋଲିସ ଉକ୍ତ ଦୁଇ ଅଟୋ ଚାଳକଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରିଥିବା ମାରଣାସ୍ତ୍ର ଜବତ କରିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଡିସିପି ଅଫିସ ନିକଟରେ ଜଣକୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଗଲା କିପରି । କମିଶନରେଟ ପୋଲିସକୁ କେମିତି ସଙ୍ଗେ ସଙ୍ଗେ ଏନେଇ ଖବର ମିଳିଲା ନାହିଁ ।