ଭୁବନେଶ୍ବର:ଆସନ୍ତା ଅପ୍ରେଲ ୭ ତାରିଖରେ ୧୦୫ଟି ପୌରପାଳିକା ଉପାଧ୍ୟକ୍ଷ ଓ ୩ଟି ମହାନଗର ନିଗମର ଡେପୁଟି ମେୟର ପଦବୀ ପାଇଁ ପରୋକ୍ଷ ଭାବେ ନିର୍ବାଚନ ହେବ । ଏହାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସମସ୍ତ ଜିଲ୍ଲାପାଳ ଓ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଛନ୍ତି । ସରକାରଙ୍କ ନୂତନ ନିୟମ ଅନୁଯାୟୀ ପୌରସଂସ୍ଥା ଉପାଧ୍ୟକ୍ଷ ଓ ମହାନଗର ନିଗମର ଡେପୁଟି ମେୟର ପଦବୀ ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ତାଙ୍କ ଦଳ ପକ୍ଷରୁ ଜଣେ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ । ସଂପୃକ୍ତ ଦଳର ସଭ୍ୟମାନେ ଉପାଧ୍ୟକ୍ଷ ବା ଡେପୁଟି ମେୟର ନିର୍ବାଚନରେ ଭୋଟଦେଇ ସେହି ଦଳର ପ୍ରତିନିଧିଙ୍କୁ ଦେଖାଇ ଭୋଟ ବାକ୍ସରେ ପକାଇବେ ।
ଅପ୍ରେଲ ୭ ତାରିଖ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ । ସେହିଦିନ ୧୧ଟାରୁ ୧୨ଟା ମଧ୍ୟାହ୍ନ ସୁଦ୍ଧା ନାମାଙ୍କନ ପତ୍ର ଯାଞ୍ଚ ହେବ । ଏହାପରେ ଦିନ ୧ଟା ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି । ସେହିଦିନ ୧ଟା ୩୦ମିନିଟରୁ ମତଦାନ ଆରମ୍ଭ ହେବ । ମତଦାନ ପରେ ପରେ ସେହିଦିନ ଭୋଟଗଣତି ଓ ଭୋଟଗଣତି ପରେ ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି ।
ସେହିଭଳି ୩ଟି ମହାନଗର ନିଗମର ଡେପୁଟି ମେୟର ପଦବୀ ପାଇଁ ଆସନ୍ତା ଅପ୍ରେଲ ୭, ୮ ଓ ୯ ତାରିଖରେ ନିର୍ବାଚନ ହେବ । କଟକ ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ଅପ୍ରେଲ ୭ ତାରିଖ, ବ୍ରହ୍ମପୁର ମହାନଗର ନିଗମ ପାଇଁ ଅପ୍ରେଲ ୮ ତାରିଖ ଏବଂ ଭୁବନେଶ୍ଵର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ପାଇଁ ଅପ୍ରେଲ ୯ ତାରିଖ ଦିନ ଧାର୍ଯ୍ୟ ହୋଇଛି । ରାଜ୍ୟ ମ୍ୟୁନିସିପାଲିଟି ପ୍ରଶାସନର ନିର୍ଦ୍ଦେଶକଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ।