ଓଡିଶା

odisha

ETV Bharat / city

ଫୋକସରେ ୱାର୍ଡ ନଂ ୫୩: ସ୍ବାଭିମାନ ପାଇଁ ବିଜେପି ଫାଇଟ୍, ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ବିଜେଡି

ପୌର ନିର୍ବାଚନକୁ ନେଇ ଉଠୁଛି ପଡୁଛି ରାଜଧାନୀ । ପୌର ବାଜି ଜିତିବା ପାଇଁ କଡା ଟକ୍କର ଚାଲିଥିବା ବେଳେ ବିଜେଡି ପାଇଁ ସମ୍ମାନ ଓ ବିଜେପି ପାଇଁ ସ୍ବାଭିମାନର ପ୍ରଶ୍ନ ହୋଇଛି ହାଇପ୍ରୋଫାଇଲ୍ ୱାର୍ଡ ନଂ ୫୩ । ଜାଣନ୍ତୁ କାହିଁକି

ଫୋକସରେ ୱାର୍ଡ ନଂ ୫୩: ସ୍ବାଭିମାନ ପାଇଁ ବିଜେପି ଫାଇଟ୍, ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ବିଜେଡି
ଫୋକସରେ ୱାର୍ଡ ନଂ ୫୩: ସ୍ବାଭିମାନ ପାଇଁ ବିଜେପି ଫାଇଟ୍, ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ବିଜେଡି

By

Published : Mar 17, 2022, 10:27 AM IST

Updated : Mar 17, 2022, 2:21 PM IST

ଭୁବନେଶ୍ୱର: ପୌର ନିର୍ବାଚନକୁ ନେଇ ସରଗରମ୍ ରାଜଧାନୀ ରାଜନୀତି । ପୌର ବାଜି ଜିତିବାକୁ ସବୁଠି ଚାଲିଛି କଡା ଟକ୍କର । ଏହାରି ଭିତରେ ଫୋକସରେ ରହିଛି ଭୁବନେଶ୍ବରର ହାଇପ୍ରୋଫାଇଲ୍ ୱାର୍ଡ ନମ୍ବର ୫୩ । କାରଣ ଏହି ୱାର୍ଡର ଭୋଟର ହେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଲି ସେତିକି ନୁହେଁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ବାସଭବନ ବି ଏହି ୱାର୍ଡରେ । ଏହି ଦୃଷ୍ଟିରୁ ୫୩ ନଂ ୱାର୍ଡ ବିଜେଡି ପାଇଁ ଅନେକ ଗୁରୁତ୍ଵ ବହନ କରେ । ତେଣୁ ଏହି ୱାର୍ଡ ଦଖଲ କରିବା ବିଜୁ ଜନତା ଦଳ ପାଇଁ ସମ୍ମାନର ପ୍ରଶ୍ନ । ଏଥିପାଇଁ ଦୁଇ ଦୁଇ ଥର କର୍ପୋରେଟର ହୋଇଥିବା ମହାମାୟା ସ୍ବାଇଁ ଉପରେ ପୁଣିଥରେ ଦଳ ଏଥର ଆସ୍ଥାଭାଜନ କରିଛି ।

ଫୋକସରେ ୱାର୍ଡ ନଂ ୫୩: ସ୍ବାଭିମାନ ପାଇଁ ବିଜେପି ଫାଇଟ୍, ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ବିଜେଡି

୨୦୦୮ ଓ ୨୦୧୪ରେ ଜିତିଥିଲେ ମହାମାୟା । ପୂର୍ବଥର ଡେପୁଟି ମେୟର ରେସରେ ବି ତାଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ତେଣୁ ମହାମାୟାଙ୍କ ବିଜୟ ପାଇଁ ବିଜେଡି ଜୋରଦାର ପ୍ରଚାର ଚଳାଇଛି । ଘର ଘର ବୁଲି ଭୋଟ ମାଗୁଛି । ମୁଖ୍ୟମନ୍ତ୍ରୀ ନାଁ ସାଙ୍ଗକୁ ବିକାଶର କଥା କହି ବିଜେଡିକୁ ଜିତାଇବାକୁ ଦଳ କସରତ ଚଳାଇଛି । ସେପଟେ ବିରୋଧି ମଧ୍ୟ ଏହି ହାଇପ୍ରୋଫାଇଲ ୱାର୍ଡ ଉପରେ ବିଶେଷ ନଜର ରଖିଛି । ଦୁଇ ଦୁଇ ଥର ଜିତିଥିବା ପ୍ରାର୍ଥୀଙ୍କୁ କିଭଳି ମାତ୍ ଦେଇ ବିଜେପି ବିଜୟ ପାଇବ ସେନେଇ ରଣନୀତି ପ୍ରସ୍ତୁତ କରୁଛି । ଉଭୟ ଦଳ ମଧ୍ୟରେ ଏଥର ମୁହାଁମୁହିଁ ସ୍ଥିତି । କାହା ଖାତାକୁ ଯିବ ଏହି ୱାର୍ଡ ? ଗତଥର ବିଏମ୍‌ସି ନିର୍ବାଚନରେ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଟକ୍କର ହୋଇଥିବା ବେଳେ ଏଥର ବିଜେଡି-ବିଜେପି ଫାଇଟ୍ ଏବେ ୱାର୍ଡରେ ଚର୍ଚ୍ଚାର ବିଷୟ ।

ଗତ ନିର୍ବାଚନରେ ବିଜେଡିରୁ ମହାମାୟା ୩,୫୦୦ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗାନ୍ଧୀ ଜେନା ୧,୪୦୦ ଭୋଟ ପାଇ ଦ୍ବିତୀୟରେ ଥିଲେ । ବିଜେପି ଖାତାକୁ ମାତ୍ର ୩୦୦ ଭୋଟ ଆସିଥିଲା । ଏଥର ୱାର୍ଡ ସୀମା ବଦଳିବା ପରେ କିଛି କିଛି ସ୍ଥାନ ବାଦ୍ ପଡିଛି ଓ କିଛି ନୂଆ ମିଶିଛି । ତେଣୁ ଏଥର ରଣନୀତି ବି ଭିନ୍ନ ରହିବ । କାରଣ ଶାସକ ଦଳର ଅପାରଗତା ନେଇ ଲୋକଙ୍କ ପାଖକୁ ଯାଉଛି ବିଜେପି । ବିଜେପିରୁ ମଇଦାନକୁ ଓହ୍ଲାଇଛନ୍ତି ତାପସ ଦଳେଇଙ୍କ ଭଉଣୀ ନଳିନୀପ୍ରଭା । ସେ ଏହି ଅଞ୍ଚଳର ଝିଅ ହୋଇଥିବାରୁ ଲୋକଙ୍କ ସମର୍ଥନକୁ ନେଇ ସ୍ବାଭିମାନର ଲଢେଇ ଲଢିବ ବିଜେପି । ଏହି ୱାର୍ଡର ଆଉ ଏକ ବଡକଥା ହେଉଛି, ପଳାସପଲ୍ଲୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ । ତେଣୁ ଅପରାଜିତ ଷଡ଼ଙ୍ଗୀଙ୍କ ନଜର ମଧ୍ୟ ଏହି ୱାର୍ଡ ଉପରେ । ଏନେଇ ସେ ନିଜେ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏଥରର ସମୀକରଣ ବି ଭିନ୍ନ ହେବ ।

ଏଠାରେ ୬ଟି ବସ୍ତି ଥିବାବେଳେ ଏହି ରାସ୍ତା, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଡ୍ରେନେଜ, ଜଳବନ୍ଦୀ ଓ ଷ୍ଟିଟଲାଇଟ ଆଦି ନାନା ସମସ୍ଯା ରହିଛି । ଏପରିକି ବସ୍ତିବାସିନ୍ଦାଙ୍କୁ ମୁଣ୍ଡ ଗୁଞ୍ଚିବାକୁ ଘରଟିଏ ବି ମିଳିନି । ଏହାକୁ ନେଇ ବସ୍ତିବାସିନ୍ଦା କହିଛନ୍ତି, ସବୁ ଖାଲି ଭୋଟବେଳେ ଆସୁଛନ୍ତି ଏବଂ ନିର୍ବାଚନ ସରିଲେ ଶୋଇ ପଡୁଛନ୍ତି । ଆମ ଦୁଃଖ କେହି ବୁଝୁ ନାହାନ୍ତି । ତେଣୁ ଆମେ ଦେଖିକି ଭୋଟ ଦେବୁ । ଏହି ୱାର୍ଡଟି ଦୁଇ ଦଳ ପାଇଁ ସମ୍ମାନ ଆଉ ସ୍ବାଭିମାନର ପ୍ରଶ୍ନ ହୋଇଥିବା ବେଳେ ଟକ୍କର ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛି । ଏଥର ଏଠାରେ କଂଗ୍ରେସ ନିଜର ପ୍ରାର୍ଥୀ ଦେଇନାହିଁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 17, 2022, 2:21 PM IST

ABOUT THE AUTHOR

...view details