ଭୁବନେଶ୍ବର:ବନ୍ୟା ପରିସ୍ଥିତି ବେଳେ ଭୁବନେଶ୍ବର ସାଂସଦଙ୍କ ସତର୍କବାଣୀ । ରାଜ୍ୟରେ ବେଧଡକ ଚାଲିଛି ବାଲି ଚାଲାଣ । ବାଲିଅନ୍ତାରେ ବେଆଇନ ବାଲି ଚାଲାଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଜୟଦେବ ବିଧାନସଭା କ୍ଷେତ୍ରର ବାଲିପାଟଣା ଓ ବାଲିଅନ୍ତା ବ୍ଲକର କୁଆଖାଇ ଓ କୁଶଭଦ୍ରା ନଦୀରେ ବେଆଇନଭାବେ ବାଲି ଉଠାଣ ଚାଲିଛି । ଲିଜ ଠାରୁ ବହୁତ ଅଧିକ ମାତ୍ରାରେ ବାଲିଉଠାଣ ଚାଲିଛି। ଏନେଇ ଦୁଇ ଥର ଲିଖିତ ଅଭିଯୋଗ ହୋଇଛି ଜିଲ୍ଲାପାଳଙ୍କ ନିକଟରେ । ବହୁ ଲୋକଙ୍କ ମଧ୍ୟ ଅଭିଯୋଗ ରହିଛି। ହେଲେ ଏହା ସତ୍ତ୍ବେ ମଧ୍ୟ ବେଆଇନ ଖନନ ହେଉଛି। ଏଥିରେ ରାଜ୍ୟସରଙ୍କ ପ୍ରଭାବଶାଳୀ ନେତାଙ୍କ ହାତଥିବା ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
ଏନେଇ ସାଂସଦ ଅଭିଯୋଗ କରିଛନ୍ତି, "ଲିଜ ଅନୁସାରେ ଜେସିବି କି କୌଣସି ମେସିନ ଲାଗିବ ନାହିଁ। ସୂର୍ଯ୍ୟାସ୍ତ ପରେ ବାଲି ଉଠାଯାଇ ପାରିବ ନାହିଁ। ଚିହ୍ନଟ ହୋଇଥିବା କ୍ଷେତ୍ର ବ୍ୟତୀତ ଅନ୍ୟ ସ୍ଥାନରେ ବାଲି ଉଠାଯିବ ନାହିଁ। ନଦୀ କୂଳର 500 ମିଟର ପାଖାପାଖି ବାଲି ଉଠାଯିବାର ଲିଜ ରହିଛି। ଏହାକୁ ବାଦ ଦେଇ ହଜାରେ ହଜାର ଟନ ବାଲି ଉଠା ଚାଲିଛି । କିନ୍ତୁ ବାଲିମାଫିଆଙ୍କ ବାଲି ଖନନ ଉପରେ କୌଣସି ପ୍ରଭାବ ପଡୁନି। ଏହାର ପ୍ରମାଣ ମଧ୍ୟ ରହିଛି । ସ୍ଥାନୀୟବାସିନ୍ଦାଙ୍କ ଅଭିଯୋଗ କ୍ରମେ ମୁଁ ନିଜେ ଯାଇ ଫଟୋ ଭିଡିଓ ରଖିଛି। ରାଜ୍ୟ ସରକାରଙ୍କ ସମ୍ପୃକ୍ତିରେ ଏହା ଚାଲିଛି। ଶାସକ ଦଳର ଜଣେ ପ୍ରଭାବଶାଳୀ ନେତା ଏଥିରେ ସମ୍ପୃକ୍ତ ଅଛନ୍ତି। ସମ୍ପୃକ୍ତ ରାଜନେତା ଲିଜ୍ଧାରୀଙ୍କ ଫାର୍ମ ହାଉସକୁ ଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ବନ୍ଦ କରିବାକୁ ଚାହୁଁଥିଲେ ସୁଦ୍ଧା ରାଜ୍ୟ ସରକାର କରାଇଦେଉନାହାନ୍ତି । ଫଳରେ ବ୍ରିଜ ସହ ନିକଟରେ ରହିଥିବା ସ୍କୁଲ ମଧ୍ୟ ଭୁଶୁଡିପାରେ । ଶାସକ ଦଳକୁ ଅନୁରୋଧ ଏହା ଶୀଘ୍ର ବନ୍ଦ କରନ୍ତୁ। ଏବେ ପାଣି ଥିବାରୁ ବନ୍ଦ ଅଛି ଖନନ। ପାଣି କମିଲେ ଯଦି ଏହା ପୁନର୍ବାର ଆରମ୍ଭ ହୁଏ ତେବେ ଜନ ଅସନ୍ତୋଷ ବଢ଼ିବ । ରାଜ୍ୟ ସରକାରଙ୍କୁ ଅନୁରୋଧ ତୁରନ୍ତ ଏହାକୁ ବନ୍ଦ କରନ୍ତୁ। "