ଭୁବନେଶ୍ବର: ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପ୍ରସଙ୍ଗ ସଂକ୍ରାନ୍ତରେ ସଂସଦରେ ସାଂସଦ ଅନୁଭବ ମହାନ୍ତି ରଖିଥିବା ତଥ୍ୟ ଭୁଲ । ସାଂସଦ ଭୁଲ ତଥ୍ୟ ଉପସ୍ଥାପନ କରିଥିବା ଉତ୍କଳ କରାଟେ ସ୍କୁଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି । ଚୀନ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣରେ 10 ଲକ୍ଷ ଛାତ୍ରୀଙ୍କୁ କୌଶଳ ଶିଖାଇ ରେକର୍ଡ କରିଛି । ଅନୁଭବ ମହାନ୍ତି କେନ୍ଦ୍ରାପଡାରେ ପର୍ଯ୍ୟାୟକ୍ରମେ 11 ଲକ୍ଷ ଛାତ୍ରୀଙ୍କୁ ଶିକ୍ଷା ଦେଇ ଭାରତ ନାମରେ ରେକର୍ଡ କରିବେ ବୋଲି କହିଥିଲେ । ହେଲେ ରାଜ୍ୟ ସରକାରଙ୍କ ଉଦ୍ୟମରେ ତଥା ଉତ୍କଳ କରାଟେ ସ୍କୁଲ ସହଯୋଗରେ 2013 ମସିହାରୁ ଏବେସୁଦ୍ଧା 17 ଲକ୍ଷ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆସରିଛି ବୋଲି ଉତ୍କଳ କରାଟେ ସ୍କୁଲ ସୂଚନା ଦେଇଛି ।
କୋଭିଡ ଯୋଗୁଁ ଦୁଇ ବର୍ଷ ଶିକ୍ଷାଦାନ ବନ୍ଦ ଥିଲା । ନଚେତ୍ ରାଜ୍ୟରେ ଏହି ସଂଖ୍ୟା ଆହୁରି ବଢ଼ିଥାନ୍ତା । ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣରେ ରେକର୍ଡ ଭାଙ୍ଗିବାକୁ ହେଲେ ସାଂସଦ ଅନୁଭବ ମହାନ୍ତିଙ୍କୁ ୧୦ ଲକ୍ଷ ନୁହେଁ, ବରଂ ୨୦ ଲକ୍ଷ ଯୁବତୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେବାକୁ ପଡ଼ିବ । ୧୦-୧୧ ଲକ୍ଷ ଯୁବତୀଙ୍କୁ ଏହି ପ୍ରଶିକ୍ଷଣ ଦେଲେ ରେକର୍ଡ ହୋଇପାରିବ ନାହିଁ ବୋଲି ଓଡ଼ିଶା କରାଟେ ଆସୋସିଏସନ ସଭାପତି ହରିପ୍ରସାଦ ପଟ୍ଟନାୟକ କହିଛନ୍ତି ।