ଭୁବନେଶ୍ବର:ବିପର୍ଯ୍ୟୟ ନିରୋଧ ଓ ପରିବେଶ ଅନୁକୂଳ କୃଷି ଉପରେ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ସରକାର ରାସାୟନିକ ପଦାର୍ଥ ରହିତ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ବୈଠକ । ବୈଠକରେ ଆନ୍ଧ୍ର ପ୍ରଦେଶର ରାୟଥୁ ସ୍ବାଧୀକାର ସଂସ୍ଥା (ଆରୱାଇଏସ୍ଏସ୍) ଏବଂ ଓଡ଼ିଶା ସରକାରଙ୍କ ସଂପୃକ୍ତ ବିଭାଗମାନଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଖୁବଶ୍ରୀଘ୍ର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପ୍ରାକୃତିକ କୃଷି କାଯ୍ୟକ୍ରମ ।
ଲୋକସେବା ଭବନରୁ ବୁଧବାର ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ଆନ୍ଧ୍ରପ୍ରଦେଶ ସରକାରଙ୍କ କୃଷି ଓ ସମବାୟ ପରାମର୍ଶଦାତା ତଥା ଆର୍ୱାଇଏସ୍ଏସର କାର୍ଯ୍ୟନିର୍ବାହୀ ଉପ ସଭାପତି ଟି. ବିଜୟ କୁମାର, ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ସମୁଦାୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ମିଶନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍ ଚୁକ୍ତିପତ୍ରରେ ସ୍ବାକ୍ଷର କରିଛନ୍ତି । ନିରାପଦ ଓ ପୃଷ୍ଟି ସଂପନ୍ନ କୃଷି ପଦାର୍ଥ ଉତ୍ପାଦନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଛନ୍ତି । ଆଧୁନିକ ପ୍ରଣାଳୀରେ ପ୍ରାକୃତିକ ଚାଷ ଉଭୟ ବର୍ତ୍ତମାନ ଓ ଭବିଷ୍ୟତ ପିଢିଙ୍କ ପାଇଁ ଏକାନ୍ତ ଆବଶ୍ୟକ । ଏହି ପଦ୍ଧତିରେ କୃଷିକୁ ନିରନ୍ତର ଏବଂ ବିପର୍ଯ୍ୟୟ ନିରୋଧ କରାଯାଇପାରିବ । ପ୍ରାକୃତିକ ଚାଷ କାର୍ଯ୍ୟକ୍ରମକୁ ଫଳପ୍ରଦ କରିବା ନିମନ୍ତେ ସଂପୃକ୍ତ ବିଭାଗମାନେ କ୍ଷେତ୍ରସ୍ତରରେ ପୂର୍ଣ୍ଣ ସମନ୍ବୟ ଏବଂ ଲଗାତର ପ୍ରଚେଷ୍ଟା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ପ୍ରାକୃତିକ ଚାଷ କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଚଳିତ କୃଷି ଉତ୍ପାଦନ ସ୍ଥିତିକୁ ରୂପାନ୍ତରିତ କରିବ । କ୍ରମବର୍ଦ୍ଧିଷ୍ଣୁ ସ୍ବାସ୍ଥ୍ୟ ସଚେତନତା ଯୋଗୁ ଜୈବିକ ପଦ୍ଧତିରେ ଉତ୍ପାଦିତ ଖାଦ୍ୟ ଦ୍ରବ୍ୟର ଚାହିଦା ବଢ଼ୁଥିବାରୁ ଏହି ଚାଷ ମଧ୍ୟ କୃଷିରୁ ଆୟ ବୃଦ୍ଧି କରିବ । ଚୁକ୍ତିନାମା ଓ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା । ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା ଓ କୋରାପୁଟ ଆଦି ୫ଟି ଜିଲ୍ଲାର ଆଦିବାସୀ ଅଞ୍ଚଳରେ ଆରମ୍ଭ କରାଯିବ ।