ଭୁବନେଶ୍ବର:ସମ୍ପଦ କେନ୍ଦ୍ର ଏବଂ ଜୈବିକ ଖତ କେନ୍ଦ୍ର ମାନଙ୍କରେ ବ୍ୟବହୃତ ହେଉଥିବା ସରଞ୍ଜାମ ଗୁଡିକର ହେବ ରକ୍ଷଣାବେକ୍ଷଣ ଓ ମରାମତି । ଏହା ସହିତ ନିରନ୍ତର ବର୍ଜ୍ୟବସ୍ତୁ ପରିଚାଳନା ହେବ । ସରଞ୍ଜାମର ରକ୍ଷଣାବେକ୍ଷଣ ଓ ମରାମତି କରିବେ ରାଜ୍ୟର କୁଶଳୀ କାରିଗର । ତେବେ ଏଥିଲାଗି ପୌରସଂସ୍ଥା ଏବଂ ITI ମଧ୍ୟରେ ଆଜି(ଗୁରୁବାର) ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।
ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ଏହି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି । ରାଜ୍ୟର ୧୧୪ ଟି ପୌରାଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ସମ୍ପଦ କେନ୍ଦ୍ର ଏବଂ ଜୈବିକ ଖତ କେନ୍ଦ୍ର ମାନଙ୍କରେ ବ୍ୟବହୃତ ହେଉଥିବା ସରଞ୍ଜାମ ଗୁଡିକର ରକ୍ଷଣା ବେକ୍ଷଣ ଓ ମରାମତି ସହିତ ନିରନ୍ତର ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ସମସ୍ତ ପୌରସଂସ୍ଥା ଗୁଡିକ ଏବଂ ୩୩ ଗୋଟି ଆଇ.ଟି.ଆଇ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।
୫-ଟି ଆଧାରରେ ବିଗତ କିଛି ବର୍ଷ ମଧ୍ୟରେ ସହରାଚଂଳ ମାନଙ୍କରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସମ୍ପଦ କେନ୍ଦ୍ର ପ୍ରତିଷ୍ଠା, ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ପ୍ରତିଷ୍ଠା ଏବଂ ମିଶନ ଶକ୍ତିର ମହିଳା ସ୍ବୟଂସହାୟକ ଗୋଷ୍ଠୀମାନଙ୍କ ଦ୍ବାରା ଏହି ସବୁ କେନ୍ଦ୍ର ଗୁଡିକର ପରିଚାଳନା କରାଇ ଓଡି଼ଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି । ଏହି ସବୁ କେନ୍ଦ୍ରଗୁଡିକର ସୁପରିଚାଳନା ପାଇଁ ବ୍ୟାଟେରି ଚାଳିତ ଗାଡି ଓ ଅନ୍ୟାନ୍ୟ ଯନ୍ତ୍ରପାତିର ଆବଶ୍ୟକତା ରହିଛି । ସେହି ସବୁ ଗାଡି ଓ ଯନ୍ତ୍ରପାତି ଗୁଡିକର ନିୟମିତ ରକ୍ଷଣାବେକ୍ଷଣ ଜରୁରୀ ଯାହା ସେହି କମ୍ପାନୀମାନେ ଠିକ୍ ସମୟରେ ଏବଂ ସ୍ଥାନୀୟ ଭାବେ ଯୋଗାଇବା ସମ୍ଭବ ହେଉନାହିଁ । ଏହି ସବୁ ଗାଡି ଏବଂ ଯନ୍ତ୍ରପାତି ଗୁଡିକର ରକ୍ଷଣାବେକ୍ଷଣକୁ ସହଜ କରିବା ପାଇଁ ଆମର ନଗର ଉନ୍ନୟନ ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ବିଭାଗର ନିର୍ଦ୍ଦେଶାଳୟ ସ୍ଥରରେ ବୁଝାମଣା ସ୍ବାକ୍ଷରିତ ହୋଇଛି ।