ଭୁବନେଶ୍ବର: ଅସୁସ୍ଥ ଝିଅକୁ କିଡ଼ନୀ ପ୍ରଦାନ କରି ପୁନର୍ଜନ୍ମ ଦେଲା ମା । ସମ ଅଲଟିମେଟ ମେଡିକେୟାରରେ ସଫଳ ଅସ୍ତ୍ରୋପଚାର ଫଳରେ ସୁସ୍ଥ ହୋଇପାରିଛନ୍ତି ଜଣେ ଯୁବତୀ । ସମ୍ପୃକ୍ତ ଯୁବତୀ ଜଣକଙ୍କର ଦୁଇଟି କିଡ଼ନୀ ସମ୍ପୂର୍ଣ ଭାବେ ଅକାମି ହୋଇପଡ଼ିଥିବା ବେଳେ ଚିକିତ୍ସା ନିମନ୍ତେ ଗତବର୍ଷ ନଭେମ୍ବର ମାସରେ ସେ ସମ ଅଲଟିମେଟ ମେଡ଼ିକେଆରରେ ଭର୍ତ୍ତି ହୋଇଥିଲେ । ସମ୍ମମରେ ନେଫ୍ରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ତାପସ ରଞ୍ଜନ ବେହେରାଙ୍କ ଅଧୀନରେ ଚିକିତ୍ସା ଆରମ୍ଭ ହେବାପରେ ସ୍ବାସ୍ଥ୍ୟ ଅବସ୍ଥାକୁ ଦେଖି ତାଙ୍କର ସପ୍ତାହକୁ ଦୁଇ ଥର ଡାଏଲିସିସ ଆରମ୍ଭ କରାଯାଇଥିଲା । ତେବେ ପରବର୍ତ୍ତି ପର୍ଯ୍ୟାୟରେ କିଡ଼ନୀ ପ୍ରତ୍ୟାରୋପଣର ନିଷ୍ପତ୍ତି ନିଆଯାଇଥିଲା ବୋଲି ଡାକ୍ତର ବେହେରା ସୂଚନା ଦେଇଛନ୍ତି ।
ଝିଅର ଜୀବନ ବଞ୍ଚାଇବା ପାଇଁ ନିଜ କିଡ଼ନୀ ଦେବା ନିମନ୍ତେ ଇଚ୍ଛା ପ୍ରକାଶ କରିଥିଲେ ସମ୍ପୃକ୍ତ ଯୁବତୀଙ୍କ ମା । କିଡ଼ନୀ ପ୍ରତ୍ୟାରୋପଣର ସମସ୍ତ ପ୍ରସ୍ତୁତି ପରେ ଯୁବତୀଙ୍କ ମାଙ୍କ ଶରୀରରୁ ଲାପ୍ରୋସ୍କୋପିକ ପଦ୍ଧତିରେ କିଡ଼ନୀ କଢ଼ାଯାଇ ଯୁବତୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା । ଏହି ସମ୍ପୂର୍ଣ୍ଣ ପ୍ରତ୍ୟାରୋପଣ ପଦ୍ଧତି ପରିଚାଳନା କରିଥିଲେ ୟୁରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ପ୍ରିୟବ୍ରତ ଦାସ ।