ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜି(ଶନିବାର) ଠାରୁ ସକାଳୁଆ ସ୍କୁଲ ପାଠପଢ଼ା ଆରମ୍ଭ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୬.୩୦ରୁ ପାଠପଢା ଆରମ୍ଭ ହୋଇ ୧୦.୩୦ ଯାଏଁ ଚାଲିବ । ସେହିପରି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ବାଦଶ(+୨) ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ହେବ।
ସକାଳ ୬ଟାରୁ ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚିବା ପରେ ଆରମ୍ଭ ହୋଇଛି ପାଠପଢା । ସମସ୍ତ ସରକାରୀ, ଘରୋଇ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ଏହି ସମୟ ଲାଗୁ ହୋଇଛି । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି। ଏହାସହ ଏପ୍ରିଲ ପହିଲାରୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ରନ୍ଧା ମଧ୍ୟାହ୍ନ ଭୋଜନ ଆରମ୍ଭ ହେବ।