ଭୁବନେଶ୍ବର/ଯାଜପୁର: ଗୋଟିଏ ସ୍ଥାନରେ ଶତାଧିକ ଜୀବନ୍ତ ଓ ନଷ୍ଟ ସାପ ଭୃଣ ମିଳିବା ଆଶ୍ଚର୍ଯ୍ୟ ଜନକ କଥା । କିନ୍ତୁ ଏହା ସତ । ଏପରି କିଛି ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଠାକୁରପାଟଣା ଗ୍ରାମରେ । ଏକ ପରିତ୍ୟକ୍ତ ଇଟା ଭାଟିରୁ ମିଳିଛି ଏକକାଳୀନ ଶତାଧିକ ସାପ ଅଣ୍ଡା ।
ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଠାକୁର ପାଟଣା ଗ୍ରାମର ଦିବ୍ୟରଞ୍ଜନ ବେହେରାଙ୍କ ଘର ବାଡ଼ିରେ ଅନେକ ବର୍ଷ ଧରି ଏକ ଇଟା ଭାଟି ଥିଲା । ଘର କାମ ପାଇଁ ଇଟା ଦରକାର ହେବାରୁ ପରିତ୍ୟକ୍ତ ଅବସ୍ଥାରେ ଥିବା ଇଟା ଭାଟିରୁ ଇଟା ବାହାର କରାଯାଇଥିଲା । ଇଟା ଗଦା ଭାଙ୍ଗି ଇଟା ବାହାର କରିବା ବେଳେ କିଛି ଧଳା ରଙ୍ଗର ଅଣ୍ଡା ଦେଖିବାକୁ ପାଇଥିଲେ ଶ୍ରମିକ । କେଉଁ ଅଣ୍ଡା ବୋଲି ଜାଣିବା ପାଇଁ ଗାଁ ଲୋକେ କିଛି ଅଣ୍ଡାକୁ ଫୁଟେଇବାରୁ ତା ଭିତରେ ସାପ ଛୁଆ ଭଳି ପଦାର୍ଥ ଦେଖିବାକୁ ପାଇଥିଲେ । କିଛି ନଷ୍ଟ କଲେ ମଧ୍ୟ ଇଟା ଗଦା ଭିତରୁ ଅଧିକରୁ ଅଧିକ ଅଣ୍ଡା ଅଲଗା ଅଲଗା ଜାଗାରୁ ମିଳିଥିଲା ।
ଅନେକ ଅଣ୍ଡା ଫାଟିଥିଲେ ବି ସାପ ଛୁଆଙ୍କର ଚିହ୍ନ ବର୍ଣ୍ଣ ନଥିଲା । ଅର୍ଥାତ ଅଜଣା ସାପ ଛୁଆ ମାନେ ଅଣ୍ଡାରୁ ବାହାରି କେଉଁ ଆଡେ ପଳେଇଥିଲେ । ଅଧିକ ଭୟଭୀତ ହୋଇ ଗାଁ ଲୋକେ ସ୍ନେକ ହେଲ୍ପ ଲାଇନର ସହଯୋଗ ଲୋଡିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରମୋଦ କୁମାର ସାହୁ ଏବଂ ଚିତ୍ତ ରଞ୍ଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଇଟା ଭାଟିରୁ ଅନେକ ପରିତ୍ୟକ୍ତ ଅଣ୍ଡା ଖୋଳ ବାହାର କରିଥିଲେ । ପ୍ରାୟ 55 ଟି କଣା ଥିବା ପରିତ୍ୟକ୍ତ ଅଣ୍ଡା ଖୋଳ ଚିହ୍ନଟ ହୋଇଛି । ଅନେକ ପୁରୁଣା ଅଣ୍ଡା ଖୋଳ ଭାଙ୍ଗି ଛୋଟ ଛୋଟ ଖୋଳପା ହୋଇଯାଇଛି ।