ଓଡିଶା

odisha

ETV Bharat / city

୨୦୨୦-୨୧ ଖରିଫ ଋତୁରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୬ ଲକ୍ଷରୁ ଉର୍ଦ୍ଧ୍ବ ମେଟ୍ରିକ ଟନ ହୋଇଛି ଧାନ ସଂଗ୍ରହ

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚଳିତ ରବି ଋତୁରେ ମୋଟ ୧୪ ଲକ୍ଷ ୪୪ ହଜାର ୧୨୧ ମେଟ୍ରିକ୍ ଟନ୍ ରବିଧାନ ସଂଗ୍ରହ କରାଯାଇଛି । ଅଧିକ ପଢନ୍ତୁ...

By

Published : Jul 3, 2021, 7:49 AM IST

୨୦୨୦-୨୧ ଖରିଫ ଋତୁରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ୬ ଲକ୍ଷରୁ ଉର୍ଦ୍ଧ୍ବ ମେଟ୍ରିକ ଟନ ଧାନସଂଗ୍ରହ ହୋଇଛି
୨୦୨୦-୨୧ ଖରିଫ ଋତୁରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ୬ ଲକ୍ଷରୁ ଉର୍ଦ୍ଧ୍ବ ମେଟ୍ରିକ ଟନ ଧାନସଂଗ୍ରହ ହୋଇଛି

ଭୁବନେଶ୍ବର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚଳିତ ରବି ଋତୁରେ ମୋଟ ୧୪ ଲକ୍ଷ ୪୪ ହଜାର ୧୨୧ ମେଟ୍ରିକ୍ ଟନ୍ ରବି ଧାନ ସଂଗ୍ରହ କରାଯାଇଛି । ରବିଧାନ ବିକ୍ରି ନିମନ୍ତେ ନାମ ପଞ୍ଜିକୃତ କରିଥିବା ଓ ଯାଞ୍ଚ କରାଯାଇଥିବା ଚାଷୀଙ୍କ ମଧ୍ୟରୁ ୯୦.୭୫ ପ୍ରତିଶତ ଚାଷୀ ସେମାନଙ୍କ ରବିଧାନ ସରକାରଙ୍କୁ ବିକ୍ରି କରିଛନ୍ତି । କୋଭିଡ଼ କଟକଣାକୁ ଅନୁପାଳନ କରି ରାଜ୍ୟର ୧୭ଟି ଜିଲ୍ଲାରେ ୧୦୨୫ଟି ଧାନସଂଗ୍ରହ କେନ୍ଦ୍ରରେ ବିଭାଗ ପକ୍ଷରୁ ରବି ଧାନ ସଂଗ୍ରହ କରାଯାଇଥିଲା ।

ରାଜ୍ୟର ୧୭ଟି ଜିଲ୍ଲାର ୨ ଲକ୍ଷ ୨୪ ହଜାର ୫୪୪ ଜଣ ଚାଷୀଙ୍କର ନାମ ପଞ୍ଜିକୃତ ଓ ଯାଞ୍ଚ ହୋଇଥିବା ବେଳେ ୨ ଲକ୍ଷ ୩ ହଜାର ୭୮୯ ଜଣ ଧାନ ବିକ୍ରି କରିଛନ୍ତି । ୨୦୨୦ ରବି ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ପଞ୍ଜିକୃତ ଓ ଯାଞ୍ଚ ଚାଷୀଙ୍କ ମଧ୍ୟରୁ ୮୨.୬୯ ପ୍ରତିଶତ ଚାଷୀ ରବିଧାନ ବିକ୍ରି କରିଥିଲେ । ସେହିପରି ଖରିଫରେ ୮୦.୯୫ ପ୍ରତିଶତ ସଂଜୀକୃତ ଓ ଯାଞ୍ଚ ଚାଷୀ ଧାନ ବିକ୍ରି କରିଛନ୍ତି । ଗତ ଖରିଫଠାରୁ ଚଳିତ ରବିରେ ପ୍ରାୟ ୧୦ ପ୍ରତିଶତ ଅଧିକ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିଛନ୍ତି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ଶୁକ୍ରବାର ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ବୈଠକରେ ଚଳିତ ରବିଧାନ ସଂଗ୍ରହ ସଂପର୍କରେ ସମୀକ୍ଷା ବୈଠକରେ ମନ୍ତ୍ରୀ ଆସନ୍ତା ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଞ୍ଜିକରଣ ଓ ଯାଞ୍ଚ ପ୍ରକ୍ରିୟା ନିମନ୍ତେ ସମୁଚିତ ପଦକ୍ଷେପ ନେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଖରିଫ ବିପଣନ ଋତୁ ୨୦୨୦-୨୧ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୧ ଲକ୍ଷ ମେଟ୍ରିକ୍ ଟନ୍ ଖରିଫ ଓ ରବିଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ମୋଟ ୭୭ ଲକ୍ଷ ୩୭ ହଜାର ୮୭୩ ମେଟ୍ରିକ ଟନ୍ ସଂଗ୍ରହ କରାଯାଇ ପାରିଛି । ଯାହାକି ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୬ ଲକ୍ଷ ୩୭ ହଜାର ମେଟ୍ରିକ୍ ଟନ୍‌ରୁ ଅଧିକ ।



ସେହିପରି ଖରିଫ ବିପଣନ ଋତୁ ୨୦୧୯-୨୦ ବର୍ଷରେ ମୋଟ ୭୦ ଲକ୍ଷ ୫୬ ହଜାର ୫୧୪ ମେଟ୍ରିକ୍ ଟନ୍ ଖରିଫ ଓ ରବି ଧାନ ସଂଗ୍ରହ କରାଯାଇଥିଲା । ଗତ ଖରିଫ ବିପଣନ ଋତୁ ଠାରୁ ଚଳିତ ୨୦୨୦-୨୧ ଖରିଫ ବିପଣନ ଋତୁରେ ୬ ଲକ୍ଷ ୮୧ ହଜାର ୩୫୧ ମେଟ୍ରିକ୍ ଟନ୍ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତ ରବିଧାନ ସଂଗ୍ରହରେ ରାଜ୍ୟରେ ଚାଷୀମାନଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ୨୬୯୭ କୋଟି ୬୨ ଲକ୍ଷ ଟଙ୍କା ମୂଲ୍ୟର ଧାନ ସଂଗ୍ରହ କରାଯାଇଛି । ଅଧିକ ରବିଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ରୁ ୫ , ୧୧ , ୦୬୮ ମେଟ୍ରିକ୍ ଟନ, କଳାହାଣ୍ଡିରୁ ୨, ୩୦ , ୮୪୩ ମେଟ୍ରିକ୍ ଟନ , ସୁବର୍ଣ୍ଣପୁର ୨, ୩୪ , ୯୪୬ ମେଟ୍ରିକ ଟନ, କୋରାପୁଟ ୧ , ୨୮ , ୭୪୩ ମେଟ୍ରିକ ଟନ ଏବଂ ସମ୍ବଲପୁର ଜିଲ୍ଲାରୁ ୧ , ୨୮ , ୮୧୨ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି ।



ସେହିପରି ପଞ୍ଜିକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କ ମଧ୍ୟରୁ ବରଗଡ଼ ଜିଲ୍ଲାରେ ୯୫.୪୩ ପ୍ରତିଶତ ଚାଷୀ ସେମାନଙ୍କ ରବିଧାନ ବିକ୍ରି କରିଥିବାବେଳେ, ଝାରସୁଗୁଡ଼ାରେ ୯୪.୦୩ ପ୍ରତିଶତ, ସୁବର୍ଣ୍ଣପୁରରେ ୯୪.୭୩ ପ୍ରତିଶତ, ନୂଆପଡ଼ାରେ ୯୬.୯୪ ପ୍ରତିଶତ, ସମ୍ବଲପୁରରେ ୯୩.୯୦ ପ୍ରତିଶତ, କୋରାପୁଟରେ ୯୨.୨୨ ପ୍ରତିଶତ ଓ ଖୋର୍ଦ୍ଧା ଜିଲ୍ଲାରେ ୯୩.୫୭ ପ୍ରତିଶତ ଚାଷୀ ସେମାନଙ୍କ ଧାନ ବିକ୍ରି କରିଛନ୍ତି । ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ, ସମବାୟ ସମିତି ସମୂହର ନିବନ୍ଧକ ସୁଶାନ୍ତ କୁମାର ବାରିକ, ଓଡ଼ିଶା ଖାଦ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବିଶ୍ଵଜିତ କେଶରୀ ଦାସଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details