ଭୁବନେଶ୍ବର: ପ୍ରତ୍ୟେକ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜାରି କରାଯାଉଛି ଗୋଲାପି ଚିତ୍ର । କିନ୍ତୁ ବାସ୍ତବିକ ସ୍ଥିତି କିନ୍ତୁ ଅଲଗା । ରାଜ୍ୟରେ ୧୨ ଲକ୍ଷ ପରିବାର ମୁଣ୍ଡରେ ଛାତ ନାହିଁ । ବିଜେପି ବିଧାୟକ ନାଉରୀ ନାୟକ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।
ରାଜ୍ୟରେ କଚ୍ଚା ଘରେ ରହୁଥିବା ପରିବାର, ଭୂମିହୀନ ପରିବାର ଓ ଗୃହ ମରାମତି ପାଇଁ ସହାୟତା ପାଇଥିବା ହିତାଧିକାରୀଙ୍କ ବାବଦରେ ପ୍ରଶ୍ନ କରିଥିଲେ ବିଧାୟକ ନାଉରୀ ନାୟକ । ଏହାର ଲିଖିତ ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚା ଘରେ ରହୁଛନ୍ତି । ଯାହାଙ୍କର ପକ୍କା ଘର ନାହିଁ । ସେଥିମଧ୍ୟରୁ ୨୧,୨୩୯ ଭୂମିହୀନ ପରିବାର ରହିଛନ୍ତି । ଯାହାଙ୍କର ନିଜସ୍ୱ ବୋଲି ଇଞ୍ଚେ ଜମି ନାହିଁ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ନିର୍ମାଣ ହୋଇଥିବା ୨୩ ଲକ୍ଷ ୮୨ ହଜାର ୮୮୪ ହିତାଧିକାରୀଙ୍କୁ ଗୃହ ମରାମତି ପାଇଁ ସହାୟତା ମିଳିଛି । ଏଥି ପାଇଁ ରାଜ୍ୟ ରାଜକୋଷରୁ ୭୧୪ କୋଟି ୮୬ ଲକ୍ଷ ୫୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।