ଭୁବନେଶ୍ବର: ରାଜ୍ୟରେ କମିଛି ପ୍ରାକ୍ ମୌସୁମୀ ବର୍ଷା । ୧ ମାର୍ଚ୍ଚରୁ ୨୫ ମେ’ ମଧ୍ୟରେ ସ୍ବାଭାବିକ ଠାରୁ ୨୮ ପ୍ରତିଶତ କମିଛି ବର୍ଷା । ପାଗ ବିଗାଡି ଦେଇଛି ଘନଘନ ଘୂର୍ଣ୍ଣିବଳୟ । ବାରମ୍ବାର ମୌସୁମୀ ପ୍ରକ୍ରିୟା ପାଇଁ ସୃଷ୍ଟି ହୋଇଛି ପ୍ରତିକୂଳ ପାଗ । ୨୭ ତାରିଖରେ(ଆଜି) କେରଳ ଛୁଇଁନପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବଡ କାଳବୈଶାଖୀ କିମ୍ବା ଲଘୁଚାପ ସୃଷ୍ଟି ସମ୍ଭାବନା ନଥିବାରୁ ବିଳମ୍ବ ନେଇ ଆକଳନ କରାଯାଇଛି । ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବଡଧରଣର ବର୍ଷା ସମ୍ଭାବନା ନାହିଁ । ଚଳିତ ବର୍ଷ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବାରେ ବିଳମ୍ବ ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ ।
କେତେବେଳେ ପାଗ ଅନୁକୂଳ ରହୁଛି ତ କେତେବେଳେ ପୁଣି ସୃଷ୍ଟି ହେଉଛି ପ୍ରତିକୂଳ ପାଗ । ଏଭଳି ସ୍ଥିତି ପାଇଁ ଏବେ ମୌସୁମୀ ବିଳମ୍ବ ହେବା ଆଶଙ୍କା ଦେଖାଦେଇଛି । ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳ ବୈଶାଖୀ ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ମୌସୁମୀ କେରଳ ଛୁଇଁବା ପରେ ତାମିଲନାଡୁ, ରୟାଲସୀମା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଛୁଇଁଥାଏ । କିନ୍ତୁ, ଚଳିତ ବର୍ଷ ଏପରି ସମ୍ଭାବନା ଦେଖାଯାଉନି । କାରଣ ପ୍ରାକ୍ ମୌସୁମୀ ବା କାଳବୈଶାଖୀ ବର୍ଷା ଶକ୍ତ ହେଉନାହିଁ । ଓଡ଼ିଶାରେ ମଧ୍ୟ ଟ୍ରପ୍ଲାଇନ୍ ପ୍ରଭାବରେ କାଳବୈଶାଖୀ ବର୍ଷା ହେଉଛି । କିନ୍ତୁ, ମୌସୁମୀକୁ ସକ୍ରିୟ କଲାଭଳି ବର୍ଷା ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ନାହିଁ । ସେପଟେ ଆସନ୍ତା ଦୁଇ ଦିନ ପାଇଁ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ନେଇ ବିଭାଗ ସତର୍କ କରାଇଛି ।