ଭୁବନେଶ୍ବର: ଲଗାତାର 3 ଦିନର ବିରତି ପରେ ସୋମବାର ପୁଣି ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଶେଷ ହେବାକୁ ଆଉ 3 ଦିନ ବାକିଥିବା ବେଳେ ସୋମବାର ବଜେଟ ଉପରେ ଆଲୋଚନା ହେବ । ତେବେ ଗୃହରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ପଡିଛି ଅମୋଘ ଅସ୍ତ୍ର । କାଳିଆ ଯୋଜନାକୁ ନେଇ ଅର୍ଥମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କ ଭିନ୍ନଭିନ୍ନ ତଥ୍ୟ ଏବେ ସରକାରଙ୍କୁ ଅଡୁଆରେ ପକାଇ ପାରେ । ବଜେଟ ଉପସ୍ଥାପନା ବେଳେ ଅର୍ଥମନ୍ତ୍ରୀଙ୍କ ଗରିବୀ ସଂଖ୍ୟା କୁ ନେଇ ଦେଇଥିବା ତଥ୍ୟ ଓ ବେକାରି ସମସ୍ୟା ବଡ ପ୍ରସଙ୍ଗ ହେବ ।
ବିରତି ପରେ ସୋମବାରରୁ ପୁଣି ବିଧାନସଭା; ଶାସକ ବିରୋଧୀ ପ୍ରସ୍ତୁତି ସେହିପରି ପ୍ରଶ୍ନକାଳ ଓ ଶୁନ୍ୟକାଳରେ ଉଠିବ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ସୋମବାର ଗୃହ, ରାଜସ୍ବ, ,ସ୍ବାସ୍ଥ୍ୟ, ଅବକାରୀ, ଇସ୍ପାତ ଓ ଖଣି ବିଭାଗ ଭଳି ଅନେକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି। ତେବେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ମହିଳାଙ୍କ କ୍ଷେତ୍ରରେ ବଢୁଥିବା ଅପରାଧ ସହ 2019ରେ ରାଜ୍ୟରେ ମାମଲା ବୃଦ୍ଧି ପାଇଥିବାରୁ ବିରୋଧୀ ଏହାକୁ ପ୍ରସଙ୍ଗ କରିପାରନ୍ତି ।
ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ କ୍ରମେ ଗୃହ ବିଭାଗ ପ୍ରଶ୍ନକାଳ ଆଲୋଚନା ହେବ । ଯାହାର ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀ ଉତ୍ତର ରଖୁଛନ୍ତି ନା ପ୍ରଶ୍ନକର୍ତ୍ତା ଅନୁପସ୍ଥିତି ରହୁଛନ୍ତି ତାହା ଉପରେ ମଧ୍ୟ ଏବେ ରାଜ୍ୟବାସୀଙ୍କ ନଜର । ବିଶେଷକରି ଗତ କିଛି ମାସ ଧରି ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଯାହା ରହିଛି ଉଭୟ ବିରୋଧୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଘେରିବେ। ଏହା ବ୍ୟତୀତ ଶୂନ୍ୟକାଳରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ।
ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୁଧବାର ଶେଷ ହେବାକୁ ଥିବାବେଳେ, ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 11 ରୁ ଚାଲିବ । ଆଗତ ହୋଇଥିବା ବଜେଟ ଗୃହରେ 2 ଦିନ ଆଲୋଚନା ପରେ ଏହା ବିଭାଗୀୟ ସ୍ଥାୟୀ କମିଟିକୁ ପଠାଇ ଦିଆଯିବ । ତେବେ ସୋମବାର ଗୃହ ସ୍ବାଭାବିକ ହେଉଛି ନା ଅଚଳ ହେଉଛି ତା ଉପରେ ନଜର ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ