ଭୁବନେଶ୍ବର: ବିଧାୟକ ମହମ୍ମଦ ମୋକିମ ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବଦଳରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବାରୁ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି । ମୋକିମ କାହିଁକି ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ ଭୋଟ ଦେଇଛନ୍ତି ସେ ନେଇ ସମୀକ୍ଷା ଚାଲିଛି । ମହମ୍ମଦଙ୍କ ଏହି ନିଷ୍ପତ୍ତିକୁ ବିଜେଡି ଓ ବିଜେପି ସ୍ୱାଗତ କରିଛନ୍ତି ।
ମୋକିମଙ୍କ ନିଷ୍ପତ୍ତିକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି, ଏହି ଘଟଣାର ତଦନ୍ତ କରାଯାଇ ହାଇକମାଣ୍ଡଙ୍କୁ ରିପୋର୍ଟ ଦିଆଯିବ । ତାପରେ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ । ଏଣେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଏପଟେ, ସେ ବିଜେପି ଆଡ଼କୁ ଢଳୁଛନ୍ତି କି ବିଜେଡିକୁ ଯାଉଛନ୍ତି, ସେଇଟା ବରିଷ୍ଠ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିପାରିବେ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ।