ଭୁବନେଶ୍ବର: ଦୁର୍ବଳ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ । ଫଳରେ ରେଡ୍ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ଉପରୁ ବିପଦ ଟଳିଛି । ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ(moderate to low rainfall expected in odisha) । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।
ସୂଚନା ଅନୁଯାୟୀ ଉତ୍ତର-ପଶ୍ଚିମ ଛତିଶଗଡ ପାର୍ଶ୍ଵବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ତଥା ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର-ପଶ୍ଚିମ ଛତିଶଗଡ ପାର୍ଶ୍ଵବର୍ତ୍ତୀ ଉତ୍ତର -ପୂର୍ବ ମଧ୍ୟପ୍ରଦେଶ ଅଞ୍ଚଳରେ କେନ୍ଦ୍ରୀଭୁତ ହୋଇଛି । ଆଗାମୀ ୨୪ ଘଣ୍ଟା ଯାଏଁ ନିଜ ଗତିର ଦିଗ ବଜାୟ ରଖିବା ସହ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ।