ଓଡିଶା

odisha

ETV Bharat / city

ମୋ ସ୍କୁଲ୍‌ ଅଭିଯାନର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ - ମୋ ସ୍କୁଲ୍‌ ଅଭିଯାନ ଅପଡେଟ ଖବର

ଶିକ୍ଷକମାନଙ୍କ ଦକ୍ଷତା ବିକାଶ ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆସନ୍ତା ଜୁନ୍‌ ୩ୟ ସପ୍ତାହରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’ର ୩୪ ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ

ମୋ ସ୍କୁଲ୍‌ ଅଭିଯାନର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ
ମୋ ସ୍କୁଲ୍‌ ଅଭିଯାନର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

By

Published : May 26, 2022, 7:55 AM IST

ଭୁବନେଶ୍ବର: ଗଣିତ, ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ ଏବଂ ଏକବିଂଶ ଶତାବ୍ଦୀରେ ସରକାରୀ ସ୍କୁଲ୍‌ର ପିଲାମାନଙ୍କୁ ଅଧିକ ଦକ୍ଷ କରିବାକୁ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍‌ ଅଭିଯାନ’ ଆରମ୍ଭ ହୋଇଛି । ପୁରାତନ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଂଗଠନ ମାଧ୍ୟମରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର । କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଅଧିକରୁ ଅଧିକ ସ୍କୁଲ୍‌ ଏବଂ ଛାତ୍ରଛାତ୍ରୀ ଯେପରି ଉପକୃତ ହୋଇପାରିବେ ତାହାଉପରେ ଗୁରୁତ୍ୱ ଦିଆଯିବ । ଶିକ୍ଷକମାନଙ୍କ ଦକ୍ଷତା ବିକାଶ ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆସନ୍ତା ଜୁନ୍‌ ୩ୟ ସପ୍ତାହରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’ର ୩୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ବୈଠକ ଭିଡ଼ିଓ କନ୍‌ଫରେନ୍ସିଂ ବସିଥିଲା । ସ୍କୁଲ୍‌ଗୁଡ଼ିକରେ ପ୍ରତିଷ୍ଠିତ ତଥା ସଫଳ ବ୍ୟକ୍ତିବଶେଷଙ୍କୁ ନେଇ ଟକ୍‌ ସେସନ୍‌ର ଆୟୋଜନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ୍‌ଗୁଡ଼ିକରେ ଇଣ୍ଟରନେଟ୍‌ ସଂଯୋଗ କରି ଭିଡ଼ିଓ କନ୍‌ଫରେନ୍ସିଂର ଆୟୋଜନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଓଡ଼ିଶାର ୨୬ଟି ଜିଲ୍ଲାର ମୋଟ ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୧୩,୩୦୨ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ସହ ଯୋଡ଼ି ହୋଇଛନ୍ତି । ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୩୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ବିଭିନ୍ନ ସିଏସ୍‌ଆର୍‌ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍‌ ଅଭିଯାନକୁ ୧ କୋଟି ୬୮ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‌ଆର୍‌ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି । ବାଲେଶ୍ୱରରେ ସର୍ବାଧିକ ୧ କୋଟି ୩୬ ଲକ୍ଷ, ସୋନପୁରରେ ୪୦ ଲକ୍ଷ ୨୨ ହଜାର, କଟକରେ ୩୬ ଲକ୍ଷ ୧୫ ହଜାର, ଖୋର୍ଦ୍ଧାରେ ୩୪ ଲକ୍ଷ ଏବଂ ଯାଜପୁରରେ ୩୧ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ୭୫ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ମାଧ୍ୟମରେ ସ୍କୁଲ୍‌ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପରେ ବଳକା ଥିବା ୪୩୧୦ଟି ଉଚ୍ଚ ବିଦ୍ୟାଳୟରୁ ୨ ହଜାରରୁ ଉର୍ଦ୍ଧ୍ବ ବିଦ୍ୟାଳୟକୁ ୩ୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଆଲୋଚନା ହୋଇଛି । ୫ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପର ମନିଟରିଂକୁ ପ୍ରାଥମିକତା ଦିଆଯାଉଥିବା ବେଳେ ମନ୍ଥର ଗତିରେ ହେଉଥିବା କାମକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଏକ ମନିଟରିଂ ସେଲ୍‌ ଗଠନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦେବାକୁ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀ ସହ ମୋ ସ୍କୁଲ୍‌ ଅଭିଯାନ ମିଳିତ ଭାବରେ କାର୍ଯ୍ୟ କରିବ । ସ୍କୁଲ୍‌ଗୁଡ଼ିକରେ ପାଳନ ହେଉଥିବା ପ୍ରମୁଖ ଦିବସଗୁଡ଼ିକରେ ବୈଜ୍ଞାନିକ ଏବଂ ବିଶିଷ୍ଟ ବିଜ୍ଞାନ ଶିକ୍ଷାବିତ୍‌ମାନଙ୍କୁ ନିମନ୍ତ୍ରଣ କରିବା ସହ ବିଜ୍ଞାନଭିତ୍ତିକ ପ୍ରଦର୍ଶନୀର ଆୟୋଜନ କରିବାକୁ ଓଡ଼ିଶା ବିଜ୍ଞାନ ଏକାଡେମୀ ପ୍ରସ୍ତାବ ଦେଇଛି । ସେହିଭଳି ବିଜ୍ଞାନ ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି । ଅନ୍ୟପକ୍ଷରେ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ପ୍ରାକ୍ଟିକାଲ ସାଇନ୍ସ କ୍ଲାସ୍‌ ଉପରେ ଗୁରୁତ୍ୱ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୧୦୭୬ଟି ଉଚ୍ଚ ବିଦ୍ୟାଳୟରେ କୋଡିଂ ଶିକ୍ଷାର ପ୍ରସାର ପାଇଁ ୨ଟି ପର୍ଯ୍ୟାୟରେ ‘କୋଡ୍‌ କ୍ଲବ୍‌’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆସନ୍ତା ଜୁନ୍‌ରେ ୪୪୧ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୋଡିଂ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବାକୁ ମୋ ସ୍କୁଲ୍‌ ଅଭିଯାନ ପ୍ରତିଷ୍ଠିତ କର୍ପୋରେଟ୍‌ ସଂସ୍ଥାମାନଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରିବ । ଏଣିକି ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘ମୋ ସ୍କୁଲ୍‌ ଅଭିଯାନ’ରେ ଇଣ୍ଟର୍ନସିପ୍‌ କରିବାର ସୁଯୋଗ ପାଇପାରିବେ । ରୁରାଲ୍‌ ମ୍ୟାନେଜମେଣ୍ଟ୍‌, ରୁରାଲ୍‌ ଡେଭଲପ୍‌ମେଣ୍ଟ୍‌, ଏଜୁକେଶନ୍‌, ପବ୍ଲିକ୍‌ ପଲିସି ଏବଂ ସୋସିଆଲ୍‌ ୱାର୍କ ଛାତ୍ରଛାତ୍ରୀମାନେ ‘ଷ୍ଟୁଡେଣ୍ଟ୍‌ ଇଣ୍ଟର୍ନସିପ୍‌ ପ୍ରୋଗ୍ରାମ’ ମାଧ୍ୟମରେ ଏହି ସୁବିଧା ପାଇପାରିବେ । ଏନେଇ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ‘ମୋ ସ୍କୁଲ୍‌’ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ବିଭାଗୀୟ ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର, ବିଭାଗୀୟ ଆର୍ଥିକ ଉପଦେଷ୍ଟା, ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ, ଏସ୍‌ସିଇଆର୍‌ଟି ଏବଂ ମୋ ସ୍କୁଲ୍‌ ଅଭିଯାନ ଭାରପ୍ରାପ୍ତ ଅଧିକାରୀ ପ୍ରବୀର କୁମାର ଖିଲାର ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details