ଭୁବନେଶ୍ବର: ମୋ ସରକାର ଯୋଜନା ପରିପ୍ରେକ୍ଷୀରେ ରାଜ୍ୟର ତିନି ପଛୁଆ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ସ୍ଥାନୀୟ ସମସ୍ୟା ସମାଧାନରେ ସହାୟକ ହେବନାହିଁ । ବରଂ ଏହା କେବଳ ଲୋକଦେଖାଣିଆ ପଦକ୍ଷେପ ବୋଲି ବିରୋଧୀ ମାନେ ଟାର୍ଗେଟ କରିଛନ୍ତି ।
ଘୋଷଣା ପରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝି ଓ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଏକ ମିଳିତ ପ୍ରେସ୍ ବିବୃତ୍ତିରେ ଏହା କହିଛନ୍ତି । ବିଜେପିର ଏହି ତିନି ତୁଙ୍ଗ ନେତା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଗତ ବିଧାନସଭାରେ କୋରାପୁଟ ଜିଲ୍ଲାରେ ୧୧୨ , ନବରଙ୍ଗପୁରରେ ୯୯ ଏବଂ ମାଲକାନଗିରିରେ ୬୪ ଡାକ୍ତର ପଦବୀ ଖାଲିଥିବା ଲିଖିତ ଉତ୍ତର ଦେଇଥିଲେ ।
ବିନା ଡାକ୍ତରରେ ନବୀନ ବାବୁ କି ରୋଗୀସେବା କରିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । କୋରାପୁଟ ମେଡିକାଲ କଲେଜରେ ଥିବା ମୋଟ ୧୫ଟି ଆଇସିୟୁ ବେଡ ମଧ୍ୟରୁ ମେଡିସିନ, ସର୍ଜରୀ ଓ ପେଡିଆଟ୍ରିକ ବିଭାଗକୁ ମାତ୍ର ୫ଟି ଲେଖା ଦିଆଯିବା ସମୁଦ୍ରକୁ ଶଙ୍ଖେ ।
ଏହି ମେଡିକାଲ କଲେଜରେ ମେଡିସିନ ବିଭାଗର ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଅଛି ନା ନାହିଁ ବୋଲି ଏହି ବିଜେପି ନେତା ମାନେ ପ୍ରଶ୍ନ କରିଛନ୍ତି ? କୋରାପୁଟ ମେଡିକାଲ କଲେଜରେ କାଜୁଆଲିଟି ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ବୋଧହୁଏ ଅବଗତ ନାହାଁନ୍ତି ।