ଭୁବନେଶ୍ବର: ଦେଶବ୍ୟାପୀ କୋରୋନା କଟକଣା । କୋରୋନା ବିଗାଡି ଦେଲା ସାଧାରଣ ଜୀବନ ଯାତ୍ରାକୁ, ଆଉ ଉଜାଡ଼ି ଦେଇଛି ମୋ ବସର ବ୍ୟବସ୍ଥାକୁ । ମାତ୍ର ୩ ମାସ ବ୍ୟବଧାନ ପରେ କୋରୋନାର ପ୍ରଭାବକୁ ନେଇ ଆମେ କରିଥିବା ଅନୁସନ୍ଧାନରୁ ଏମିତି କିଛି ଆଚମ୍ବିତ ତଥ୍ୟ ସାମ୍ନାକୁ ଆସିଛି । ତଥ୍ୟ ହେଉଛି ମାତ୍ର ୮ ରୁ ୧୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ରାସ୍ତାରେ ଗଡୁଛି ମୋ ବସ । କୃଟ ଅଧୀନରେ ଚାଲୁଥିବା ମୋ ବସ କର୍ମଚାରୀ ଓ ଅଧିକାରୀମାନେ ହାତବାନ୍ଧି ବସିଛନ୍ତି ଅନିଶ୍ଚିତତା ଭିତରେ । ଏବେ ସମସ୍ତଙ୍କ ଅପେକ୍ଷା କେବେ ହଟିବ କୋରୋନା ଲକ ଡାଉନ କଟକଣା, ଆଉ କେବେ ସ୍ଥିତିରେ ଆସିବ ସୁଧାର ।
୨୦୧୮ ମସିହା ନଭେମ୍ବର ମାସ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବସ ସେବାର ଶୁଭାରମ୍ଭ କରିଥିଲେ । ପରେ ଏହି ଯୋଜନାକୁ ମିଲିଥିଲା ଭରପୂର ଉତ୍ସାହ । ଖୁବକମ ଦିନ ଭିତରେ ଆରମ୍ଭ ହୋଇଥିବା ମୋ ବସ ସେବା ଲୋକପ୍ରିୟତା ହାସଲ କରିଥିଲା । ଘରୋଇ ଯାତ୍ରୀ ସେବା ତୁଳନାରେ ଯାତ୍ରୀ ମାନଙ୍କର ପ୍ରଥମ ପସନ୍ଦ ହୋଇଥିଲା ମୋ ବସ କାରଣ ତ୍ବରିତ ସମୟରେ ଏବଂ କମ ପଇସାରେ ଲୋକମାନେ ଗନ୍ତବ୍ୟ ସ୍ଥଳରେ ପହଂଚି ପାରୁଥିଲେ । ଗତ ମାର୍ଚ୍ଚ ମାସରୁ ବଦଳିଗଲା ସବୁ ଚିତ୍ର । କରୋନା କଟକଣା ଉଜାଡି ଦେଲା ପୂରା ବ୍ୟବସ୍ଥାକୁ । ମାର୍ଚ୍ଚ ୨୨ ତାରିଖରୁ ପ୍ରଧାନମନ୍ତ୍ରୀଙ୍କ ଲକ ଡାଉନ କଟକଣା ଘୋଷଣା ପରେ ହଠାତ ଠପ ହୋଇଗଲା ମୋ ବସ । ଆଉ ତା ପରେ ସାଢେ ତିନି ମାସର ଚିତ୍ର ବୟାନ କରୁଛି ମୋ ବସର ଅବସ୍ଥା ଏବେ କେତେ ଦୟନୀୟ ।
ପୂର୍ବରୁ ଦୈନିକ ପ୍ରାୟ ୨୦୦ ମୋ ବସ ରାସ୍ତାରେ ଗଡୁଥିବା ବେଳେ ଏବେ ୬୦ଟି ବସ ରାସ୍ତାରେ ଗଡୁଛି । ଦୈନିକ ୧ଲକ୍ଷରୁ ଉର୍ଦ୍ଧ୍ବ ଯାତ୍ରୀ ଯିବା ଆସିବା କରୁଥିଲେ ହେଲେ ଏବେ ୧୦ ରୁ ୧୨ ହଜାର ଯାତ୍ରୀ ଦୈନିକ ଯିବା ଆସିବା କରୁଛନ୍ତି । ଦୈନିକ ୧୮୦୦ ଟ୍ରିପରୁ ଏବେ ଦୈନିକ ୫୦୦ ଟ୍ରିପ ହେଉଛି । ଏହା ହେଉଛି କରୋନା ଲକ ଡାଉନ କଟକଣାର ପ୍ରଭାବ । ଜୁନ ମାସରେ ଅବସ୍ଥା ଦୟନୀୟ ହୋଇଛି । ସରକାରୀ ତଥ୍ୟ କହୁଛି ମାର୍ଚ୍ଚ ମାସ ପୂର୍ବରୁ ଦୈନିକ ସ୍ମାର୍ଟସିଟି ଭୁବନେଶ୍ବରରେ ମୋ ବସରେ ହାରାହାରି ଯାତ୍ରୀଙ୍କ ଯିବା ଆସିବା ସଂଖ୍ୟା ଥିଲା ଏକ ଲକ୍ଷ ୧୫ ହଜାର । କିନ୍ତୁ ଜୁନ ମାସ ଶେଷ ଭାଗରେ ଏ ସ୍ଥିତି ଅତ୍ୟନ୍ତ ଦୟନୀୟ । ଜୁନ ମାସ ଶେଷ ସୁଦ୍ଧା କୋରୋନା କଟକଣା କାରଣରୁ ପ୍ରାରମ୍ଭିକ ଅବସ୍ଥାରେ ଏ ସ୍ଥିତି ଯାତ୍ରୀ ସେବା ସାମୟିକ ବନ୍ଦ ହୋଇଥିଲା ଏବେ କଟକଣା କୋହଳ ହେବା ପରେ ଆରମ୍ଭ ହେଲା ମୋ ବସ ସେବା ।
କିନ୍ତୁ ସ୍ଥିତିରେ ସୁଧାର ଆସିଲାନି,ଦୈନିକ ଏକ ଲକ୍ଷରୁ ଅଧିକ ଯାତ୍ରୀରୁ ଏବେ ଦିନକୁ ମାତ୍ର ୧୦ ହଜାରରୁ ୧୫ ହଜାର ଯାତ୍ରୀ ସୀମିତ ରହିଛନ୍ତି । ଅର୍ଥାତ ଦୈନିକ ଆୟର ୧୦ ପ୍ରତିଶତ ଆୟରେ ଚାଲୁଛି ମୋ ବସ ସେବା ।