ଭୁବନେଶ୍ବର: ରାଜ୍ୟରେ ମୋ ବସ୍ ସେବା ପାଇଁ କ୍ରୁଟ୍କୁ ପୁଣି ଥରେ ଜାତୀୟସ୍ତରର ପୁରସ୍କାର । ବିଗତ ଏକ ବର୍ଷରେ ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରି କ୍ରୁଟ୍ ଉତ୍କର୍ଷତା ହାସଲ କରିଛି । ସେନେଇ ନୂଆଦିଲ୍ଲୀରେ ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଅର୍ବାନ ମୋବିଲିଟି ଇନିସିଏଟିଭ୍ ସମ୍ମିଳନୀର ପୁରସ୍କାର ବିତରଣୀ ଉତ୍ସବରେ କ୍ରୁଟ୍କୁ ପୁରସ୍କୃତ କରାଯାଇଛି । ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀଙ୍କ ଠାରୁ କ୍ରୁଟ ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଯୋଗୁଁ କ୍ରୃଟକୁ ଜାତୀୟ ପୁରସ୍କାର ୟୁଏମଆଇ ସମ୍ମିଳନୀ ୨୦୨୧ ନୁଆଦିଲ୍ଲୀ ସୁଷମା ସ୍ୱରାଜ ଭବନରେ ଅନୁଷ୍ଠିତ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ କ୍ରୁଟ୍ ଜେନେରାଲ୍ ମ୍ୟାନେଜର୍ ବିଗତ ଦୁଇବର୍ଷ ଧରି କୋଭିଡ଼୍ ମହାମାରୀ ଭଳି ଏକ ବିପରୀତ ସମୟରେ ମଧ୍ୟ କିଭଳି ମୋ ବସ୍ ଜନସାଧାରଣମାନଙ୍କ ସେବାରେ ଲାଗି ପାରିଥିଲା ସେନେଇ ସମ୍ମିଳନୀରେ ଏକ ବିସ୍ତତୃ ଟିପ୍ପଣୀ ରଖିଥିଲେ । କୋଭିଡ଼୍ ମହାମାରୀ ପ୍ରଭାବ ସତ୍ତ୍ୱେ ଯେଭଳି ଭାବରେ ପୁନଃ ଦୈନିକ ୧ଲକ୍ଷରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ବିଶ୍ୱାସଭାଜନ ହୋଇପାରିଛି । ତାହା ନିଶ୍ଚିତ ଭାବରେ ସମସ୍ତଙ୍କୁ ପ୍ରେରଣା ଦେବବୋଲି ଉପସ୍ଥିତ ବିଚାରକ ମଣ୍ଡଳୀ କ୍ରୁଟ୍ର ମୋ ବସ୍ ସେବାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।
ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଯୋଗୁଁ କ୍ରୃଟକୁ ଜାତୀୟ ପୁରସ୍କାର
ରାଜ୍ୟର ସହରାଞ୍ଚଳ ପରିବହନ କ୍ଷେତ୍ରରେ କ୍ରୁଟ୍ ଅନନ୍ୟ ଭୂମିକା ଗ୍ରହଣ କରିଆସୁଛି । କୋଭିଡ଼୍ ମହାମାରୀ ହେଉ କି ଅନ୍ୟ ଯେକୌଣସି ଆବଶ୍ୟକତା ସମୟରେ କ୍ରୁଟ୍ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଆସୁଛି । ସମୟାନୁସାରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ କ୍ରୁଟ୍ର ସେବାକୁ ଆହୁରି ତ୍ୱରାନ୍ୱତି କରାଯାଉଛି । ସେହିପରି ଆଗାମୀ କିଛିଦିନ ମଧ୍ୟରେ ଇ.ବସ୍ ଏବଂ ଇ. ରିକ୍ସା ଲଞ୍ଚ କରିବାକୁ ଯୋଜନା କରି ଓଡ଼ିଶାରେ ଇଲେକ୍ଟ୍ରିକ ଯାନ ନୀତିକୁ ତୁରନ୍ତ ଆପଣେଇପାରିଛି । ସମାଜରେ ଲିଙ୍ଗଗତ ଭେଦଭାବକୁ ଦୂରେଇବାକୁ ଯାଇ ଏହି ଯାନଗୁଡ଼କିର ଡ଼୍ରାଇଭର୍ ଭାବରେ ସମାଜରେ ଅବହେଳିତ ହୋଇ ରହୁଥିବା ମହିଳା ଓ କିନ୍ନରମାନଙ୍କୁ ଏଥିରେ ନିୟୋଜିତ କରାଯାଇଛି । ସେମାନଙ୍କୁ ଏକ ମୁଖ୍ୟ ସ୍ରୋତରେ ଆଣିବାର କ୍ରୁଟ୍ର ଏହି ପ୍ରୟାସକୁ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସା ମିଳିଛି ।
କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ ଏହି ଅବସରରେ କହିଛନ୍ତି ଯେ, 'ଏଭଳି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବାମୋ ବସ୍ ପାଇଁ ନିହାତି ଏକ ଖୁସି ଖବର । ଜନସାଧାରଣଙ୍କ ନିକଟରେ ଆମର ଅଭିନବ ପ୍ରୟାସ ମାଧ୍ୟମରେ ମୋ ବସ୍ ସେବା ଯୋଗାଇପାରୁଛୁ । ଯାହା ଫଳରେ ଏହି ପୁରସ୍କାର ପାଇଁ କ୍ରୁଟ୍କୁ ଚୟନ କରାଯାଇଛି । ଏହା ସମଗ୍ର ରାଜ୍ୟ ପାଇଁ ଏକ ଗର୍ବର ବିଷୟ ।” କ୍ରୁଟ୍ ଜେନେରାଲ୍ ମ୍ୟାନେଜର୍ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ, 'ପୁଣି ଥରେ ଜାତୀୟ ସ୍ତରର ପୁରସ୍କାର ଗ୍ରହଣ କରି ଆମେ ଗର୍ବ ଅନୁଭବ କରୁଛୁ । ଆମେ ଅତ୍ୟନ୍ତ ଖୁସି ଯେ, ଏହି ପୁରସ୍କାର ସାରା ରାଜ୍ୟ ପାଇଁ ଏକ ଗର୍ବର ବିଷୟ । କ୍ରୁଟ୍ ପକ୍ଷରୁ ମୋ ବସ୍ ସେବା ଯୋଗାଇବାର ତିନି ବର୍ଷ ମଧ୍ୟରେ ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ସହିତ ଯୋଡ଼ି ହୋଇପାରିଛି । ସହରର ପରିବହନ କ୍ଷେତ୍ରରେ ମୋ ବସ୍ ସେବା ବିଶେଷ ପ୍ରଭାବିତ ଢ଼ଙ୍ଗରେ ସମସ୍ତଙ୍କ ପାଖରେ ପହଞ୍ଚିପାରିଛି । ମୋ ବସ୍ ସେବା ଉପରେ ଜନସାଧାରଣଙ୍କ ବିଶ୍ୱାସ ଥିବାରୁ ଆମେ ରାଜ୍ୟ ସରକାର ଓ ପ୍ରତ୍ୟେକ ଯାତ୍ରୀମାନଙ୍କ ପାଖରେ କୃତଜ୍ଞ । ଏହି ପୁରସ୍କାର ଆମକୁ ଆହୁରି ଆଗକୁ ବଢ଼ବାକୁ ପ୍ରେରଣା ଯୋଗାଇବ । ସର୍ବଦା ଉତ୍ତମ ମୋ ବସ୍ ସେବା ଯୋଗାଇଦେବା ପାଇଁ ଅନବରତ କାର୍ଯ୍ୟ କରୁଥିବା ଟିମ୍ର ପ୍ରତ୍ୟେକ କର୍ମଚାରୀଙ୍କ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ ଏହା ସଫଳ ହୋଇପାରିଛି ।”
ସୂଚନା ଥାଉକି, ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ୟୁଏମଆଇ ସମ୍ମିଳନୀରେ ଲଗାତାର ତିନିବର୍ଷ କ୍ରୁଟ୍କୁ ସର୍ବଶ୍ରେଷ୍ଠ କମ୍ପାନୀ ଭାବେ ଚୟନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷ ୟୁଏମଆଇ ପକ୍ଷରୁ ‘ଆୱାର୍ଡ଼ ଫର୍ ଏକ୍ସିଲେନ୍ସି ଇନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ’ ସମ୍ମାନ ମିଳିଥିବାବେଳେ ଏସ୍ପିଭି କାଟାଗୋରୀରେ ‘ସ୍ମାର୍ଟ ସିଟି ଇଣ୍ଡିଆ ଆୱାର୍ଡ଼ ୨୦୨୧’, ସେହିପରି ୨୦୨୦ ରେ କୋଭିଡ଼୍-୧୯ ସମୟରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ନିଆଯାଇଥିବା ଅଭିନବ ପଦକ୍ଷେପ ପାଇଁ ପୁରସ୍କାର ଏବଂ ୨୦୧୯ ରେ ‘ବେଷ୍ଟ ସିଟି ବସ୍ ସଭିର୍ସ୍ ପ୍ରୋଜେକ୍ଟ’ ସମ୍ମାନରେ କ୍ରୁଟ୍କୁ ସମ୍ମାନିତ କରାଯାଇଛି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ