ଭୁବନେଶ୍ବର: କୋଟିଆରେ 144 ଧାରା ଲାଗୁ ସତ୍ତ୍ବେ ଗତକାଲି (ଗୁରୁବାର) ଆନ୍ଧ୍ର ଜୋରଜବଦସ୍ତ ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ନିର୍ବାଚନ କରାଇଥିଲା । ଯାହାକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ ଓଡି଼ଶାର ବିଭିନ୍ନ ଦଳର ନେତା ଓ ଆନ୍ଧ୍ର ପୋଲିସ ମୁହାଁମୁହିଁ ହୋଇଥିଲେ । ତେବେ ଏହି ସମୟରେ ଆନ୍ଧ୍ର ପୋଲିସ ସେମାନଙ୍କୁ ମାରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ବିଧାୟକ ତାରା ପ୍ରସାଦ ।
ଏହି ଘଟଣାରେ ତାରା କହିଛନ୍ତି, ରାଜ୍ଯ ସରକାରଙ୍କୁ ଲଜ୍ଜା ଲାଗିବା କଥା, ଯେଉଁ ଦିନ କୋଟିଆରେ ଭୋଟ ସେହିଦିନ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ନିର୍ବାଚନ ବନ୍ଦ ପାଇଁ ଅପିଲ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏହି କ୍ଷେତ୍ରରେ ଠିକ୍ ହୋଇନି । କୋଟିଆ ପ୍ରସଙ୍ଗରେ ଯାହା କିଛି ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ ତାହା ସରକାର କରୁନାହାନ୍ତି । ତେଣୁ ମୁଁ ଦୁଃଖିତ । ଏହାସହ ଆଗାମୀ ଦିନରେ କୋଟିଆରେ ଥିବା ଦଲାଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି ।