ଓଡିଶା

odisha

By

Published : Mar 8, 2021, 5:13 PM IST

ETV Bharat / city

ମିଶନ ଶକ୍ତି, ମହିଳାଙ୍କର ବିରାଟ ଆନ୍ଦୋଳନ

ଯେଉଁ ଚାରା ୨୦୦୧ ମାର୍ଚ୍ଚ ୮ରେ ଲାଗିଥିଲା ତାହା ଆଜି ଗୋଟିଏ ବିରାଟ ଗଛରେ ପରିଣତ ହୋଇଛି । ୮୦ ଲକ୍ଷ ମା' ମାନଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି । ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ । ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି । ଅଧିକ ପଢନ୍ତୁ...

ମିଶନ ଶକ୍ତି, ମହିଳାଙ୍କର ବିରାଟ ଆନ୍ଦୋଳନ
ମିଶନ ଶକ୍ତି, ମହିଳାଙ୍କର ବିରାଟ ଆନ୍ଦୋଳନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟସ୍ତରୀୟ ବିଶ୍ଵ ମହିଳା ଦିବସ ପାଳନ ଅବସରରେ ଏହା କହିଛନ୍ତି । ମିଶନ ଶକ୍ତିର ଏହି ସଫଳତା ଅଧିକରୁ ଅଧିକ ମା'ମାନଙ୍କୁ ପ୍ରେରଣା ଦେବ । ମିଶନ ଶକ୍ତି ଖୁବଶୀଘ୍ର ଏକ କୋଟି ମହିଳାଙ୍କର ବିରାଟ ଆନ୍ଦୋଳନରେ ପରିଣତ ହେବ । ଓଡିଶାର ଘରେ ଘରେ ସଶକ୍ତ ଓଡିଶାର ବାର୍ତ୍ତା ଦେବ ।

ମିଶନ ଶକ୍ତି, ମହିଳାଙ୍କର ବିରାଟ ଆନ୍ଦୋଳନ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମିଶନ ଶକ୍ତି ଆଜି ଏକ ବଡ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି । ଗାଁ ଅର୍ଥନୀତିକୁ ଚଳଚଞ୍ଚଳ କରିପାରିଛି । ମିଶନ ଶକ୍ତି କେବଳ ଦେଶରେ ନୁହେଁ ସାରା ବିଶ୍ବରେ ସବୁଠାରୁ ବଡ ଆନ୍ଦୋଳନରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।କୋଭିଡର ଆହ୍ଵାନରେ ମା ମାନେ ହିଁ ସରକାରଙ୍କ ମୁଖ୍ୟ ସହଯୋଗୀ ହୋଇ ଏହାର ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ମିଶନ ଶକ୍ତିର ମା' ମାନଙ୍କଠାରୁ ଆରମ୍ଭ କରି ଅଙ୍ଗନବାଡି, ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଆଦି ଦାୟିତ୍ଵର ସହ କାମ କରିଛନ୍ତି । ପରିବାରକୁ ସଚେତନ ମଧ୍ୟ କରିଛନ୍ତି । ସେଥିପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପକ୍ଷରୁ ଧନ୍ୟବାଦ ଦେଇଛନ୍ତି ।ରାଜ୍ୟ ସରକାର ସବୁବେଳେ ମିଶନ ଶକ୍ତିର ମା'ମାନଙ୍କ ପାଇଁ ନିଷ୍ଠାର ସହ କାମ କରୁଛନ୍ତି । ସେମାନଙ୍କ ପାଇଁ ୫ ହଜାର କୋଟି ଟଙ୍କାର କାମ ଘୋଷଣା କରାଯାଇଛି । ସେମାନେ ଦକ୍ଷତାର ସହ କାମ କରି ସରକାରଙ୍କ ବିଶ୍ବାସକୁ ବୃଦ୍ଧି କରିଛନ୍ତି । ଯେଉଁ ଦେଶରେ ମା'ମାନେ ଯେତେ ଆଗୁଆ ସେ ଦେଶ ସେତେ ଉନ୍ନତ । ମା ମାନଙ୍କ ସମୃଦ୍ଧି ଓ ଅଧିକାର ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଆଜିର କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତିର କାର୍ଯ୍ୟକ୍ରମ ସମ୍ପର୍କରେ ଦୁଇଟି ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ଝାରସୁଗୁଡା , ଯାଜପୁର ଓ ଭୁବନେଶ୍ବରରେ ତିନୋଟି କର୍ମଜୀବି ମହିଳା ହଷ୍ଟେଲ ଉଦଘାଟିତ ହୋଇଛି । ହଷ୍ଟେଲ ପରିଚାଳନା, ସ୍ଵଧାର ଓ ଉଜ୍ଜ୍ଵଳ ଆଦି ଯୋଜନା ପାଇଁ ନୂଆ ପୋର୍ଟାଲ, ମିଶନ ଶକ୍ତି ୱେବସାଇଟ, ମୋବାଇଲ ଆପ ଓ ବ୍ଯାଙ୍କ ମାନଙ୍କ ଋଣ ପ୍ରଦାନ ସମ୍ପର୍କରେ ଏକ ସ୍ଵତନ୍ତ୍ର ପୋର୍ଟାଲ ଉନ୍ମୋଚିତ ହୋଇଛି । ଡାଆଣି କୁପ୍ରଥାର (Witch Hunting) ବିଲୋପ ପାଇଁ IEC Package ମଧ୍ୟ ଉନ୍ମୋଚିତ ହୋଇଛି ।କାର୍ଯ୍ୟକ୍ରମ ଉପସ୍ଥିତ ଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ମହିଳା ମାନଙ୍କ ଅନ୍ତର୍ନିହିତ ଶକ୍ତି ଓ ଦକ୍ଷତାକୁ ଉପଯୋଗ କରି ବିକାଶକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଆଜି ଓଡିଶା ମହିଳା ବିକାଶ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିପାରିଛି । ମିଶନ ଶକ୍ତି ମା ମାନଙ୍କୁ ନୂଆ ପରିଚୟ ଦେଇଛି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ସ୍ଵାଗତ ଭାଷଣ ଦେଇଥିଲେ । ସେ କହିଥିଲେ, ରାଜ୍ୟ ସରକାର ମହିଳାମାନଙ୍କୁ ହିତାଧିକାରୀ ନୁହେଁ ବରଂ ବିକାଶର ସହ ଭାଗୀଦାର ବୋଲି ମନେ କରନ୍ତି । ମହିଳା ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର କେବଳ ଗୋଟିଏ ଦିନ ନୁହେଁ ବରଂ ପୁରା ୩୬୫ ଦିନ ସମର୍ପିତ ହୋଇ କାମ କରୁଛନ୍ତି ।ମିଶନ ଶକ୍ତିର କମିଶନର ତଥା ନିର୍ଦେଶିକା ସୁଜାତା କାର୍ତ୍ତିକେୟନ ଧନ୍ୟବାଦ ଅର୍ପଣ କରିଥିଲେ । ସେ କହିଥିଲେ ଯେ, ୨୦୦୧ ରେ ମିଶନ ଶକ୍ତି ଏକ ଯୋଜନା ହୋଇ ଆରମ୍ଭ ହୋଇଥିଲା । ଆଜି ଏହା ଏକ ସ୍ଵତନ୍ତ୍ର ବିଭାଗ ହୋଇଛି । ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମା ମାନଙ୍କ ପାଇଁ ଯେଉଁ ୫ ହଜାର କୋଟି ଟଙ୍କା ଘୋଷଣା କରିଥିଲେ ଆଜି ମା ମାନେ ୨୫୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବ୍ୟବସାୟ ଆରମ୍ଭ କରି ସାରିଛନ୍ତି । ମା ମାନଙ୍କ ପାଇଁ ୩୨୦୦ କୋଟି ଟଙ୍କାର ଋଣ ଲକ୍ଷ୍ୟ ଥିଲାବେଳେ ବର୍ତ୍ତମାନ ସୁଦ୍ଧା ୪୦୦୦ କୋଟି ଟଙ୍କାରୁ ଅଧିକ ଋଣ ମିଳିପାରିଛି । ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା, ସ୍ଵୟଂ ସହାୟକ ଗୋଷ୍ଠୀ, ଅଧିକାରୀ ଓ ବ୍ଯାଙ୍କମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତିର ଉପଦେଷ୍ଟା, ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା, ରାଜ୍ୟ ଶିଶୁ ସୁରକ୍ଷା କମିଶନର ଅଧ୍ୟକ୍ଷା, ଓଡିଶା ଶିଶୁ କଲ୍ଯାଣ ପରିଷଦର ସଦସ୍ୟା ସଚିବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ତିଆନ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details