ଭୁବନେଶ୍ବର: ଗ୍ରାମୀଣ ଅର୍ଥନୀତିର ଅଭିବୃଦ୍ଧିରେ ମିଶନ ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ପ୍ରମୁଖ ଭୂମିକା ରହିଛି । ଏ ନେଇ ଗ୍ରାମ ପଞ୍ଚାୟତରେ ନିୟୋଜିତ ହୋଇଛନ୍ତି ବିଜନେସ କରେସ୍ପଣ୍ଡେଣ୍ଟ ଏଜେଣ୍ଟ (ବ୍ୟାଙ୍କ ସଖୀ) । ବର୍ତ୍ତମାନ ସୁଦ୍ଧା ୧୨୫୨ ମିଶନ ଶକ୍ତି ‘ବ୍ୟାଙ୍କ ସଖୀ’ଙ୍କ ଦ୍ବାରା ୨୩୦ କୋଟି ଟଙ୍କାର ଅର୍ଥ କାରବାର ହୋଇଥିବା ଜଣାପଡିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ।
ଏଥିପାଇଁ ବ୍ୟାଙ୍କ ସଖୀ ଭାବରେ ମିଶନ ଶକ୍ତି ବିଭାଗ ବିଭିନ୍ନ ବ୍ୟାଙ୍କ ସହ ଅନୁବନ୍ଧିତ ହୋଇଛି । ଯୋଗ୍ୟ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ/ସଂଘର ସଦସ୍ୟାମାନଙ୍କୁ ଚୟନ କରିବା ପାଇଁ ବିଭାଗ ପକ୍ଷରୁ ଆବଶ୍ୟକୀୟ ମାର୍ଗଦର୍ଶିକା ଜାରି କରାଯାଇଛି । ୧୮ରୁ ୪୫ ବର୍ଷ ବୟସର SHG ସଦସ୍ୟା, ଯେଉଁମାନଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍ ହୋଇଥିବ, ତଥା ସ୍ମାର୍ଟ ଫୋନ୍ର ବ୍ୟବହାର କରିପାରୁଥିବେ ସେମାନେ ଏହି ଅଭିନବ ଜୀବିକା କାର୍ଯ୍ୟକ୍ରମରେ ନିୟୋଜିତ ହୋଇପାରିବେ ।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ୟସ୍ ବ୍ୟାଙ୍କ୍, ଆଇସିଆଇସିଆଇ ବ୍ୟାଙ୍କ୍, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏହାର ସହଭାଗିତା ଅଛନ୍ତି । ଏ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ୧୨୫୨ ମିଶନ ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଏହି ବ୍ୟାଙ୍କିଂ ସେବାରେ ନିୟୋଜିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ପ୍ରଥମ ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟାଙ୍କ ସଖୀଙ୍କୁ ଆର୍ଥିକ ସୁରକ୍ଷା ପାଇଁ ପ୍ରତ୍ୟେକ ମାସରେ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଛି ।