ଓଡିଶା

odisha

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି ବିଭାଗ

By

Published : Jun 1, 2021, 8:51 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମହିଳା ଓ ଶିଶୁ ବିକାଶ ବିଭାଗରୁ ପୃଥକ ହୋଇ ଆଜି (ମଙ୍ଗଳବାର) ଠାରୁ ଏକ ସ୍ଵତନ୍ତ୍ର ବିଭାଗ ଭାବେ କାର୍ଯ୍ୟ କରିଛି ମିଶନ ଶକ୍ତି ବିଭାଗ । ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଏ ସଂପର୍କିତ ବିଜ୍ଞପ୍ତି ଆଜି ପ୍ରକାଶିତ ହୋଇଛି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି ବିଭାଗ
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି ବିଭାଗ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମହିଳା ଓ ଶିଶୁ ବିକାଶ ବିଭାଗରୁ ପୃଥକ ହୋଇ ଆଜି (ମଙ୍ଗଳବାର) ଠାରୁ ଏକ ସ୍ଵତନ୍ତ୍ର ବିଭାଗ ଭାବେ କାର୍ଯ୍ୟ କରିଛି ମିଶନ ଶକ୍ତି ବିଭାଗ । ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଏ ସଂପର୍କିତ ବିଜ୍ଞପ୍ତି ଆଜି ପ୍ରକାଶିତ ହୋଇଛି । ନୂତନ ଭାବେ ଗଠନ କରାଯାଇଥିବା ମିଶନ ଶକ୍ତି ବିଭାଗ ଲୋକସେବା ଭବନରେ କାର୍ଯ୍ୟ କରିବ । ଏହାର ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟାଳୟଗୁଡ଼ିକ ପୂର୍ବପରି ମିଶନ ଶକ୍ତି ଭବନ, ପୋଖରୀପୁଟ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ପରିସରରେ ଓଡ଼ିଶା ଜୀବିକା ମିଶନ କୋଠାରେ କାର୍ଯ୍ୟ କରିବ । ମିଶନ ଶକ୍ତି ଭବନର ପ୍ରଶାସନିକ ନିୟନ୍ତ୍ରଣ ଓ ପରିଚାଳନା ଦାୟିତ୍ବ ମିଶନ ଶକ୍ତି ବିଭାଗରେ ନ୍ୟସ୍ତ ରହିବ । ମିଶନ ଶକ୍ତି ନିର୍ଦ୍ଦେଶାଳୟ, ଓଡ଼ିଶା ଜୀବିକା ମିଶନ ଓ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଅନ୍ତର୍ଭୁକ୍ତ ରାଜ୍ୟ, ଜିଲ୍ଲା, ବ୍ଲକ୍, ଗ୍ରାମପଞ୍ଚାୟତ ଏବଂ ଗାଁ ସ୍ତରରେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କର ସମସ୍ତ କାର୍ଯ୍ୟକ୍ରମ ଓ ଭିତ୍ତିଭୂମି, ଆସବାବପତ୍ର ଇତ୍ୟାଦି ନୂତନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଓ ପରିଚାଳନାରେ ରହିବ ।

ମିଶନ ଶକ୍ତି କାର୍ଯ୍ୟକ୍ରମ, ଦୀନଦୟାଲ ଅନ୍ତୋଦୟ ଯୋଜନା ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନର କାର୍ଯ୍ୟକ୍ରମ ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ, ଜାତୀୟ ଗ୍ରାମୀଣ ଅର୍ଥନୈତିକ ପରିବର୍ତ୍ତନ ପ୍ରକଳ୍ପ ଏବଂ ଜାତୀୟ ସହରାଞ୍ଚଳ ଜୀବିକା ମିଶନରେ କାର୍ଯ୍ୟକାରୀ ହେଉଥିବା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟକ୍ରମ ଏହି ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପରିବର୍ତ୍ତେ ମିଶନ ଶକ୍ତି ବିଭାଗ ଦ୍ୱାରା ଉପରୋକ୍ତ କାର୍ଯ୍ୟକ୍ରମଗୁଡ଼ିକ ସଂପାଦିତ ହେବ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵରେ ରହିବେ । ସଂସଦୀୟ ବ୍ୟାପାର ବିଭାଗ ତରଫରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମିଶନ ଶକ୍ତି କମିଶନର ତଥା ନିର୍ଦ୍ଦେଶକ, ଶ୍ରୀମତୀ ସୁଜାତା ଆର କାର୍ତ୍ତିକେୟନ ଏହି ନୂତନ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅବସ୍ଥାପିତ ହେବେ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଭାଗ ପାଇଁ ଆବଶ୍ୟକ କର୍ମଚାରୀଙ୍କ ନିମନ୍ତେ ସରକାରଙ୍କ ତରଫରୁ ବିହିତ ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀ ସଂପର୍କିତ କାର୍ଯ୍ୟକ୍ରମ ଦାୟିତ୍ବରେ ଥିବା କର୍ମଚାରୀମାନେ ନୂତନ ବିଭାଗରେ ଅବସ୍ଥାପିତ ହୋଇ କାର୍ଯ୍ୟ କରିବେ ।

୨୦୨୨-୨୩ ବର୍ଷରୁ ଏହି ବିଭାଗ ପାଇଁ ରାଜ୍ୟ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟୟବରାଦ କରାଯିବ। ଚଳିତବର୍ଷ ପାଇଁ ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ମିଶନ ଶକ୍ତି ପାଇଁ ଅନୁମୋଦନ ହୋଇଥିବ । ବଜେଟରେ ଯୋଜନା ତଥା କର୍ମଚାରୀମାନଙ୍କ ଦରମା ଆଦି ପାଇଁ ଖର୍ଚ୍ଚ କରାଯିବ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଏ ସଂପର୍କିତ ବିଜ୍ଞପ୍ତି ଜାରି କରାଯାଇଛି । ଓଡ଼ିଶା ଗେଜେଟରେ ପ୍ରକାଶ ପାଇଁ ଅନୁରୋଧ କରାଯାଇଛି ।

ରାଜ୍ୟର ମହିଳାଙ୍କୁ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ପ୍ରକ୍ରିୟାକୁ ବ୍ୟାପକ କରିବା ନିମନ୍ତେ ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଗୋଟିଏ ବିଭାଗ ଅଧୀନକୁ ଆଣି ସ୍ଵତନ୍ତ୍ର ଭାବେ କାର୍ଯ୍ୟକ୍ଷମ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଥିଲେ । ତଦନୁଯାୟୀ କ୍ୟାବିନେଟ୍ ଅନୁମୋଦନ କରାଯାଇଥିଲା । ରାଜ୍ୟ ସରକାରଙ୍କ ୫-‘ଟି' କାର୍ଯ୍ୟକ୍ରମ ଅନୁଯାୟୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ଓ ତତ୍ପରତା ହେତୁ ଆଜି ଏହି ସ୍ୱପ୍ନ ସାକାର ରୂପ ନେଇଛି । ଏହା ଦ୍ବାରା ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଆଭିମୁଖ୍ୟ ଆହୁରି ଦ୍ବରାନ୍ବିତ ହୋଇପାରିବ ବୋଲି ଆଶା କରାଯାଏ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details