ଭୁବନେଶ୍ବର:ରାଜଧାନୀରେ ପୁଣି ମାତିଲେ ଲୁଟେରା । ବାଇକରେ ଆସି ସୁନା ଚେନ ଝାମ୍ପିବା ସହ ଟଙ୍କା ନେଇଗଲେ ଦୁର୍ବୃତ୍ତ । ଶିଶୁ ଭବନ ଛକ ନିକଟ ଜିନ୍ଦଲ ଅଫିସ କଡରେ ଆତଙ୍କ ଖେଳାଇ ପୁଣି ରାଜଧାନୀରେ ନିଜ ଦବଦବା ଜାହିର କରିଛନ୍ତି ଲୁଟେରା ଗ୍ୟାଙ୍ଗ। ବାଇକ ଯୋଗେ ଘରକୁ ଆସୁଥିବା ବେଳେ ସେହି ଅଞ୍ଚଳର ରାଜା ନାୟକଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଗତକାଲି ରାଜା ନାୟକ ନାମକ ଯୁବକ ବାଇକ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ହଠାତ ଦୁଇ ଦୁର୍ବୃତ୍ତ ଏକ ଆଭେଞ୍ଜର ବାଇକରେ ଆସି ତାଙ୍କୁ ଅଟକାଇ ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହାପରେ ରାଜା ପିନ୍ଧିଥିବା ସୁନା ଚେନ ଝାମ୍ପିବା ସହ ୫ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଧରି ଚମ୍ପଟ ମାରିଥିଲେ ଲୁଟେରା । ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିବା ପରେ ଆହତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ ଅଭିଯୋଗକାରୀ ।